ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ୯୨ ବର୍ଷୀୟ ଜେଡିଏସ୍ ସୁପ୍ରିମୋ ଜ୍ବରରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେବଗୌଡ଼ାଙ୍କ ପାରିବାରିକ ସୂତ୍ରରୁ ଏହା ଜଣାପଡ଼ିଛି। ପୁରୁଣା ବିମାନବନ୍ଦର ରୋଡ୍ର ମଣିପାଲ୍ ହସ୍ପିଟାଲରେ ଦେବଗୌଡ଼ା ଚିକିତ୍ସାଧୀନ ଅଛନ୍ତି। କିଛି ଚିକିତ୍ସକ ବିଶେଷଜ୍ଞ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଡାକ୍ତର ମଞ୍ଜୁନାଥ କହିଛନ୍ତି, ପରିସ୍ରା ସଂକ୍ରମଣ ଯୋଗୁ ତାଙ୍କୁ ଜ୍ବର ହୋଇଛି। ଏଥିପାଇଁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଦିନେ କିମ୍ବା ୨ ଦିନ ମଧ୍ୟରେ ତାଙ୍କୁ ୱାର୍ଡକୁ ସିଫ୍ଟ କରାଯିବ ବୋଲି ଡାକ୍ତର କହିଛନ୍ତି।
