‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତେ ପ୍ରଥମ ଥର ନୌସେନାରେ ମହିଳା ନାବିକ ନିଯୁକ୍ତ ହେବେ: ଉପନୌସେନାଧ୍ୟକ୍ଷ ଦିନେଶ କେ. ତ୍ରିପାଠୀ

ଦିଲ୍ଲୀ: ଜୁନ୍‌ ୨୧: ପ୍ରଥମ ଥର ପାଇଁ ନୌସେନା ବିଭାଗରେ ମହିଳା ନାବିକ ନିଯୁକ୍ତି ପାଇବେ । ‘ଅଗ୍ନିପଥ’ ଯୋଜନା ଅଧୀନରେ ମହିଳା ନାବିକଙ୍କୁ ନିଯୁକ୍ତି ମିଳିବ ବୋଲି ଉପନୌସେନାଧ୍ୟକ୍ଷ ଦିନେଶ କେ. ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳା ନାବିକ ଭବିଷ୍ୟତରେ ଯୁଦ୍ଧଜାହାଜରେ ମୁତୟନ ହେବାର ବାଟ ଫିଟିଛି ବୋଲି ସେ କହିଛନ୍ତି । ତେବେ ଅଗ୍ନିପଥ ଯୋଜନା ଅଧୀନରେ କେତେ ସଂଖ୍ୟକ ମହିଳା ନାବିକଙ୍କୁ ନିଯୁକ୍ତି ମିଳିବ ସେନେଇ ଉପନୌସେନାଧ୍ୟକ୍ଷ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ଉପନୌସେନାଧ୍ୟକ୍ଷଙ୍କ ସୂଚନା ଅନୁସାରେ, ନୌସେନାରେ ଚଳିତବର୍ଷ ୩ ହଜାର ଅଗ୍ନିବୀର ନିଯୁକ୍ତ ହେବେ । ସେମାନଙ୍କ ମଧ୍ୟରୁ ୧୦ରୁ ୨୦ ପ୍ରତିଶତ ମହିଳା ରହିବେ । ଏନେଇ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପାଇଁ ତାଲିମ ଆରମ୍ଭ ହେବ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ସେହିପରି ମହିଳା ନାବିକଙ୍କ ପ୍ରଥମ ବ୍ୟାଚ ତାଲିମ ନଭେମ୍ବର ୨୧ରୁ ଓଡ଼ିଶାର ଆଇଏନ୍‌ଏସ୍‌ ଚିଲିକାରେ ଆରମ୍ଭ ହେବ । ସେମାନଙ୍କ ପାଇଁ ରହିବା ସୁବିଧା ସୁଯୋଗ ଚିଲିକାରେ ସୃଷ୍ଟି କରାଯାଉଛି ବୋଲି ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ କହିଛନ୍ତି ।

Comments are closed.