ଭବାନୀପାଟଣା : ଭବାନୀପାଟଣା ତହସିଲ ଅଧିନ ଡକାବାହାଲି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଜମିକୁ ୨ ଜଣ ଜମି ମାଫିଆ ଜାଲିଆତି ନକଲି ମାଲିକ ଦେଖାଇ ଓ ଜମି ଜାଲିଆତି କରି ବିକ୍ରି କରିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଭବାନୀପାଟଣା ସଦର ଥାନା ପୋଲିସ ୨ ଜମି ମାଫିଆ ସମେତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ବି.କେ. ନନ୍ଦ ସୂଚନା ଦେଇଛନ୍ତି ।
ଅତିରିକ୍ତ ଏସ୍ପି ଶ୍ରୀ ନନ୍ଦ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ, ଭବାନୀପାଟଣା ତହସିଲ ଅଧିନରେ ଡାକବାହାଲି ଗ୍ରାମର ନରତ୍ତୋମ ଗୌଡ (୬୬) ଙ୍କ ନାମରେ ଥିବା ଜମିକୁ ତାଙ୍କ ଅଜାଣତରେ ଭବାନୀପାଟଣା ମନ୍ଦାରବଗିଚା ପଡାର ନରେଶ ପ୍ରଧାନୀ (୩୧) ଓ ମହାବୀରପଡାର ଆଶୁତୋଷ ପାଣିଗ୍ରାହୀ (୪୨) ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ଏହି ଜମି ବିକ୍ରି ସଂପର୍କରେ ଜମି ମାଲିକ ନରୋତ୍ତମ ଗୌଡ କୌଣସି ଖବର ଜାଣିପାରିନଥିଲେ । ଜମି ମାଫିଆ ଶ୍ରୀ ପ୍ରଧାନୀ ଓ ଶ୍ରୀ ପାଣିଗ୍ରାହୀ ମଧ୍ୟ ଜମି ମାଲିକ ନରୋତ୍ତମ ଗୌଡଙ୍କୁ ତାଙ୍କ ଜମି ବିକ୍ରି କରିବା ସଂପର୍କରେ ଜଣାଇନଥିଲେ । ଜମି ମାଫିଆ ନରେଶ ପ୍ରଧାନୀ ଓ ଆଶୁତୋଷ ପାଣିଗ୍ରାହୀ ଉକ୍ତ ଜମିକୁ ଡାକବାହାଲି ଗ୍ରାମର ମକରନ୍ଦ ଗୌଡଙ୍କ ମଧ୍ୟସ୍ଥିରେ କ୍ଷେତ୍ରମୋହନ ହୋତା ଓ ପ୍ରଦୀପ ଜୈନ ବିକ୍ରି କରିବା ପାଇଁ ସ୍ଥିର କରିଥିଲେ ।
ପୂର୍ବ ଯୋଜନା ଅନୁଯାୟୀ ଜମି ମାଫିଆ ଶ୍ରୀ ପ୍ରଧାନୀ ଓ ଶ୍ରୀ ପାଣିଗ୍ରାହୀ ଡାକବାହାଲି ଗ୍ରାମରେ ସୀତାରାମ ଗୌଡଙ୍କୁ ଜମି ମାଲିକ ନରୋତ୍ତମ ଗୌଡ ଭାବେ ଜମି ବିକ୍ରି ପଞ୍ଜିକରଣ କାର୍ଯ୍ୟାଳୟ (ରେଜିଷ୍ଟେସନ୍ ଅଫିସ) ରେ ୫.୭.୨୦୨୨ ତାରିଖ ଦିନ ଉପସ୍ଥିତ କରାଇ ଭବାନୀପାଟଣାର କ୍ଷେତ୍ରମୋହନ ହୋତାଙ୍କୁ ୫୦ ଡିସ୍ମିଲ ଓ ପ୍ରଦୀପ ଜୈନଙ୍କୁ ୮୩ ଡିସମିଲ ବିକ୍ରି କରିଥିଲେ । ଏହି ବିକ୍ରି ସମୟରେ ମହାବୀର ପଡାର ଅନ୍ତର୍ଯାମି ପଣ୍ଡା (୪୫) ଓ ମହାବୀର ପଡାର କୁନା ପାତ୍ର (୩୯) ସାଖି ରହିଥିଲେ । କି;ୁ ୪.୭.୨୦୨୨ ତାରିଖର ଉକ୍ତ ଜମିର ମାଲିକ ନରୋତ୍ତମ ଗୌଡ ନିଜ ଜମିର ଖଜଣା ବାନ୍ଧିବା ପାଇଁ ଭବାନୀପାଟଣା ସଦର ଆର୍ଆଇ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ତାଙ୍କର ଉକ୍ତ ଜମିକୁ ୫.୭.୨୦୨୨ ତାରିଖ ଦିନ କ୍ଷେତ୍ରମୋହନ ହୋତା ଓ ପ୍ରଦୀପ ଜୈନକୁ ବିକ୍ରି କରାଯାଇଥିବା ଜାଣିବାକୁ ପାଇଥିଲେ ।
ଏ ସଂପର୍କରେ ଶ୍ରୀ ଗୌଡ ତାଙ୍କର ପରିବାର ସଦସ୍ୟଙ୍କୁ ଜଣାଇବା ପରେ ସେମାନେ ଉକ୍ତ ଜମି କିଣିଥିବା ଶ୍ରୀ ହୋତା ଓ ଶ୍ରୀ ଜୈନଙ୍କୁ ଦେଖା କରି ସେମାନେ ଜମି ବିକ୍ରି କରିନଥିଲେ । କିପରି ଜମି ସେମାନେ କିଣିଲେ ବୋଲି ପଚାରି ସତ୍ୟାସତ୍ୟ ଜାଣିବା ପରେ ଜମି ମାଲିକ ନରୋତ୍ତମ ଗୌଡ ୫.୭.୨୦୨୨ ରିଖ ଦିନ ଭବାନୀପାଟଣା ସଦର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ସଦର ଥାନା କେସ୍ ନଂ. ୨୬୨/୦୫.୦୭.୨୦୨୨ ଦିନ ଏକ ମାମଲା ରୁଜ୍ଜୁ କରି ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନ ତଦନ୍ତ କରିବା ପରେ ଜମି ଜାଲିଆତି ଓ ଜମି ମାଲିକକୁ ରେଜିଷ୍ଟେସନ୍ ଅଫିସରେ ଦେଖାଇ ଜମି ବିକ୍ରି କରିଥିବା ଜାଣିବାକୁ ପାଇଥିଲେ ।
ପୋଲିସ ଏହି ଘଟଣାର ଅନ୍ତର୍ଜାମି ପ୍ରଧାନ, କୁନା ପାତ୍ର, ମକରଙ୍ଗ ଗୌଡ, ନରେଶ ପ୍ରଧାନୀ, ଆଶୁତୋଶ ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜମି ମାଲିକ ଭାବେ ନରୋତ୍ତମ ଗୌଡ ନାମରେ ରେଜିଷ୍ଟେସନ୍ ଅଫିସରରେ ଉପସ୍ଥିତ ଥିବା ସୀତାରାମ ଗୌଡ ଫେରାର ଥିବା ଅତିରିକ୍ତ ଏସ୍ପି ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି । ଏହି ରେଜିଷ୍ଟେସନ୍ ଅଫିସ ବିନା ଯାଞ୍ଚ କରି କିପରି ଜମି ମାଲିକ ସ୍ଥାନରେ ଅନ୍ୟ ଜଣଙ୍କୁ ଜମି ମାଲିକ ଦେଖାଇ ଜମି ରେଜିଷ୍ଟେସନ୍ କଲେ ତାହା ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ ।

Comments are closed.