ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ବି ଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗା ଉଦ୍ୟମ ପରେ ଏବେ ପୁଣି ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଜାତିବାଦ ଆକ୍ରମଣ ଜାରି ରହିଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପଞ୍ଜାବ ପୁଲିସ କିଛି ସୋସିଆଲ ମିଡିଆ ପୋଷ୍ଟ୍କୁ ନେଇ ଏକାଧିକ ଏତଲା ରୁଜୁ କରିଛି। କିଛି ରାଜନେତା ଏବଂ ସାମାଜିକ କର୍ମୀ ମଧ୍ୟ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଇନଜୀବୀ ରାକେଶ କିଶୋରଙ୍କ ବିରୋଧରେ ଜୋତା ଫିଙ୍ଗା ଉଦ୍ୟମ ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ବିଚାରଣ ଆରମ୍ଭ କରିବାପାଇଁ ଏଟର୍ନି ଜେନେରାଲ୍ଙ୍କ ଅନୁମତି ମଗାଯାଇଛି। ସେହିପରି ଅପମାନଜନକ ଏବଂ ଉତ୍ତେଜକ ଟିପ୍ପଣୀ ପାଇଁ ଧର୍ମ ପ୍ରଚାରକ ଅନିରୁଦ୍ଧ ଆଚାର୍ଯ୍ୟଙ୍କ ବିରୋଧରେ ମଧ୍ୟ ବିଚାରଣ ପାଇଁ ଅନୁମତି ମଗାଯାଇଛି। ସିଜେଆଇଙ୍କ ଉପରେ ଅନଲାଇନ୍ରେ ଆକ୍ରମଣ ପାଇଁ ଏଆଇ (କୃତ୍ରିମ ବୁଦ୍ଧିମତା)ର ବ୍ୟବହାର କରାଯାଇଛି। ଏକ ଏଆଇ ଜେନେରେଟେଡ୍ ଭିଡିଓରେ ସିଜେଆଇଙ୍କୁ ନିଳ ମୁହଁ ଏବଂ ତାଙ୍କ ବେକରେ ଏକ ମାଟି ପାତ୍ର ଝୁଲାଯାଇଥିବା ଦେଖିବାକୁ ମିଳିଛି। ଏହା ଏକ ପୁରୁଣା ଜାତିବାଦ ପ୍ରର୍ଥାକୁ ଦର୍ଶାଉଛି ଯେତେବେଳେ ଦଳିତମାନଙ୍କୁ ସେମାନଙ୍କ ଛେପ ମାଟିରେ ସ୍ପର୍ଶ କରିବାକୁ ଦିଆ ନଯିବାପାଇଁ ଏଭଳି କରାଯାଏ। ବି. ଆର୍ ଗୱାଇ ହେଉଛନ୍ତି ଏକମାତ୍ର ଦ୍ବିତୀୟ ସିଜେଆଇ ଯିଏ ଜଣେ ଦଳିତ । ଅକ୍ଟୋବର ୬ ତାରିଖରେ ଆଇନଜୀବୀ ରାକେଶ କିଶୋର ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିବାର ୪ ଘଣ୍ଟା ପରେ ଏହି ଅପମାନଜନକ ଭିଡିଓ ପୋଷ୍ଟ୍ କରାଯାଇଥିଲା ଏବଂ କିକି ସିଂହ ନାଁରେ ଥିବା ଏକ୍ସ ଆକାଉଣ୍ଟ୍ରେ ଏହା ଏବେ ବି ରହିଛି। ଏହି ଭିଡିଓଟିକୁ ୨,୩୦୦ ଥର ପୁନଃ ସେୟାର କରାଯାଇଛି ଏବଂ ୫ ହଜାରରୁ ଅଧିକ ଲାଇକ୍ ମିଳିଛି। ପାଖାପାଖି ୮ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି।
