ଭଞ୍ଜ ସାହିତ୍ୟରେ ନାରୀଶିକ୍ଷା

ନାରୀ ଜନନୀ, ଭଗିନୀ, ଜାୟା ଓ କନ୍ୟାରୂପରେ ପୁରୁଷ ସମ୍ମୁଖରେ ଉଭା ହୋଇ ପୁରୁଷକୁ ପ୍ରତି ପଦେ ପଦେ ସହାୟ ହୋଇଥାଏ । ନାରୀର ସତ୍‌ ଶିକ୍ଷା ଓ ଆଦର୍ଶ ଭିିତ୍ତି ଉପରେ ଦେଶର ସଂସ୍କୃତି-କୃଷି-ଉନ୍ନତି-ସୌଧ ପ୍ରତିଷ୍ଠିତ । ଉପେନ୍ଦ୍ର ଭଞ୍ଜ ଏଥିପ୍ରତି ତୀକ୍ଷ୍ମ ଦୃଷ୍ଟି ରଖି ନାରୀକୁ ସତୀ, ରୂପବତୀ, ଶିକ୍ଷିତା, ଲଜ୍ଜାଶୀଳା, ନମ୍ରା, ସଙ୍ଗୀତ ପ୍ରବୀଣା, କଳାକୁଶଳା ପ୍ରଭୃତି ଦୂର୍ଲ୍ଲଭ ଗୁଣ ସମନ୍ୱିତା କରି କବି ସୁଲଭ ଚିତାକର୍ଷକ ରୀତିରେ ଚିତ୍ରଣ କରିଥିବାରୁ ପାଠକପାଠିକା ସମ୍ମୁଖରେ ସେ ଆଦର୍ଶ ସ୍ଥାନୀୟା, ଲୋଭନୀୟା ଏବଂ ଦୃଢ଼ମନା ବିବେଚିତା ହୁଏ । କବିଙ୍କ ଭାଷାରେ ନାରୀ ଏ ସଂସାରରେ ସାର (ଲା.ବ) ଛା.୩୫ ।
ତୋତେ ତୁ ପଟାନ୍ତରରେ, ମୋର ଅଶେଷ ତପ, ପୂଣ୍ୟ ନାରୀ ସ୍ୱରୂପ, ହୋଇଛୁ ରାମାବରରେ (ଲା.ବ)।
ଭଞ୍ଜ ସାହିତ୍ୟରେ ନରନାରୀମାନଙ୍କ କଥୋପକଥୋନ ପ୍ରସଙ୍ଗ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ଓ ଶିକ୍ଷଣୀୟ । ଶୁକ ଓ ଶାରୀ ଉପାଧ୍ୟାୟୀ ଜଟିଳା, ସଖୀ ଏବଂ ସହଚରୀ, ରାକ୍ଷସୀ ଓ ମାତା ସୀତା, ଜରତା ସମେତ ଦ୍ୱାଦଶ ବେଶ୍ୟା ଋିଷ୍ୟଶୃଙ୍ଗ ପ୍ରଭୃତିଙ୍କ ମଧ୍ୟରେ କଥୋପକଥୋନ ପ୍ରଣିଧାନଯୋଗ୍ୟ । ଚାତୁର୍ଯ୍ୟ ଓ ପରିହାସପୂର୍ଣ୍ଣ କଥୋପକଥୋନ ଭିତରେ ଶିକ୍ଷାର ଅବାଧ ସ୍ରୋତ ଧୀରେ ଧୀରେ ପ୍ରବାହିତ ହେଉଥିବା ଅନୁଭୂତ ହୁଏ । ସୀତା ଦେବୀଙ୍କ ପ୍ରତି କଟୁକ୍ତିି ପ୍ରୟୋଗରେ ରାକ୍ଷସୀମାନଙ୍କ ନିର୍ଦ୍ଦୟ ଲକ୍ଷଣ ସଙ୍ଗେ ସଙ୍ଗେ ସାଧାରଣ ଶିକ୍ଷାର ପରଚୟ ମିଳେ । କବି ନିଜର କବି ପ୍ରତିଭାରେ ନାୟିକା, ସହଚରୀ, ଅନୁଚରୀ ପ୍ରଭୃତିଙ୍କୁ ଏବଂ ରାକ୍ଷସୀମାନଙ୍କୁ ମଧ୍ୟ ଅଶିକ୍ଷିତା ରଖି ନାହାଁନ୍ତି ।

ବୋଲୁଅଛି ଏକା ରାମ ରାମ । ବନ୍ଦୀ ମୋକ୍ଷଣେ ହେବକି କ୍ଷମ ।
ବିବେକ ପ୍ରଚରୀ ପକ୍ଷୀ ବନଚାରୀ । ବାଇ ପଶୁଚାରୀ ଏ ସୁଷମ ଗୋ ବାନ୍ଧବୀ ।

ପଶୁ, ପକ୍ଷୀ, ବାବାଜୀ,ବାୟା-ଏମାନେ ସମଦଶାପନ୍ନ ଓ ନିର୍ବୋଧ ରାକ୍ଷସୀର ନିଷ୍ଠୁର ବଚନ ଭିତରେ ଏପରି ଏକାଧିକ ଉକ୍ତି ରହିଥିବାରୁ କବି ଉଚ୍ଚ, ନୀଚ୍ଚ ସକଳ ଶ୍ରେଣୀୟ ନାରୀକୁ ଶିକ୍ଷାରୁ ବଞ୍ଚିତ କରି ନ ଥିବା ଧରାଯାଏ । କବିଙ୍କ ସମୟରେ ବିଶେଷ ଭାବରେ ସ୍ତ୍ରୀ ଶିକ୍ଷା ପ୍ରଚଳିତ ଥିବା କଥା ତାଙ୍କ ଗ୍ରନ‘ରୁ ହିଁ ସ୍ପଷ୍ଟ । ଯଥା- ସରସ୍ୱତୀ ଗୋଚରରେ ବିଦ୍ୟାଥିଲେ ଯେତେ, ବେଲେ କହିସେ ଦ୍ୱନ୍ଦ ନ କରିବୁ ମୋତେ (ଲା.ବ) ।
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ କବି ଲେଖିଛନ୍ତି-

‘ସୁସଂଚେ ହାରି ମୁଁ ସାରଦା।
ଲାଂଚ କରି ଦେଇଛି ବିଦ୍ୟା ।’

ଭଞ୍ଜଙ୍କ କାବ୍ୟରେ ସହଚରୀଗଣ ସମ୍ପଦ, ବିପଦ ଉଭୟ ସମୟରେ ସଙ୍ଗୀନ ତଥା ନାୟିକାକୁ ଭୁଲନ୍ତି ନାହିଁ । ବିପଦ ସମୟରେ ବନ୍ଧୁ ଶ୍ରେଷ୍ଠ ବନ୍ଧୁରେ ଗଣ୍ୟ । ବିପଦ ସମୟରେ ନାୟିକାକୁ ବିପଦ ଜାଲରୁ ଉଦ୍ଧାର କରିବା ପାଇଁ ସହଚରୀ ବର୍ଗ ଜୀବନ ପର୍ଯ୍ୟନ୍ତ ଉସିର୍ଗ କରି ନାନା ଉପାୟ ଉଦ୍ଭାବନରେ ଚିନ୍ତିତ ରହୁଥିବାର ଦେଖାଯାଏ । ବର୍ଷାଋତୁରେ ବିରହିଣୀଙ୍କ ଯନ୍ତ୍ରଣା ବଢେ। ଲାବଣ୍ୟବତୀଙ୍କ ସହଚରୀ ବର୍ଗ ବର୍ଷା ଆଗମନରେ କହିଛନ୍ତି-

‘ରକ୍ଷା କେମନ୍ତେ କରି, କରିବା ମତ କରି, ଗତିକି ଏମନ୍ତ ବିଚାରୀ ସେ ସହଚରୀ, ଭାବେ ବଂଚିଲେ ଏ କାଳକୁ କଥାଥିବ କାଳକାଳକୁ’
-ଇତ୍ୟାଦିରୁ ଭଞ୍ଜ ସାହିତ୍ୟରେ ନାରୀ କିପରି ଦୟାଶୀଳତା, ତାହା ସ୍ପଷ୍ଟ ହୁଏ । ଏପରି ଦୃଷ୍ଟାନ୍ତ ଭଞ୍ଜ ସାହିତ୍ୟରେ ଅପର୍ଯ୍ୟାପ୍ତ । ଶିକ୍ଷିତ, ଅଶିକ୍ଷିତ, ଉଚ୍ଚ ନୀଚ୍ଚ, ବିପନ୍ନ ଓ ଅବସ୍ଥାପନ୍ନ ସକଳ ପରିବାର ମଧ୍ୟରେ ସାଧାରଣତଃ ଗୃହିଣୀ ପରମ୍ପରା କ୍ରମେ ପରିଚାଳିକା ଓ ଉପଦେଷ୍ଟା ଭାବରେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରେ ।

କବି ନାରୀ ମୁଖରେ ଘନ ଘନ ବହୁ ସମୟୋଚିତ ଉପଦେଶ ଦେଇ ନାରୀ ଶିକ୍ଷାକୁ ନିଜର ଗ୍ରନ‘ ମାଧ୍ୟମରେ ସ୍ୱାଭାବିକ ଓ ସାରଗର୍ଭକ କରିଛନ୍ତି । ନାରୀର ସହିଷ୍ଣୁତାର ବଳ ଏତେ ଅଧିକ ଯେ ସେହି ସହିଷ୍ଣୁତା ଅସ୍ତ୍ର ପ୍ରୟୋଗରେ ଭାରତ ଚିରବାଞ୍ଛିତ-ସୁସ୍ୱାଦୁ ସ୍ୱାଧୀନତା ଫଳ-ପ୍ରବଳ ପରାକ୍ରମୀ ବ୍ରିଟିଶ କେଶରୀ ମୁହଁରୁ ଉଦ୍ଧାର କରିପାରିଲା । ୧୯୪୭ ଖ୍ରୀଷ୍ଟାବ୍ଦରେ ସହିଷ୍ଣୁତା-ଅସ୍ତ୍ର ପ୍ରୟୋଗରେ ଭାରତ ସିନା ତାହା ପାଇଛି ତାର ଇଙ୍ଗିତ କିନ୍ତୁ ଉପେନ୍ଦ୍ର ଭଞ୍ଜ ୩୦୦ ବର୍ଷ ତଳେ ଦେଇଥିଲେ ।

ଏଥିଯୋଗୁ ସେ କେବଳ ଓଡିଶାବାସୀଙ୍କର ନୁହଁନ୍ତି କେବଳ ଭାରତୀୟଙ୍କର ମଧ୍ୟ ନୁହଁନ୍ତି ସମସ୍ତ ବିଶ୍ୱବାସୀଙ୍କର ଯୁଗ ଯୁଗ ପାଇଁ ଧନ୍ୟବାଦାର୍ହ । ତାଙ୍କ ଉକ୍ତିର ପ୍ରତିଧ୍ୱନି ଇଂଲଣ୍ଡର ମନୀଷୀ ଜନ୍‌ ରସ୍କୀନ୍‌ଙ୍କ ଠାରୁ ମଧ୍ୟ ଶୁଣାଯାଇଛି ।

Launching Ceremony of “AYUSHMAN BHARAT

Comments are closed.