ଦିଲ୍ଲୀ ସୀମାରେ ପୁଣି ଏକାଠି ହେଲେ ହଜାର ହଜାର କୃଷକ : ବଢ଼ିଲା ସୀମା ସୁରକ୍ଷା
୩ କୃଷି ଆଇନ ପ୍ରତ୍ୟାହାର ପରେ ମଧ୍ୟ ଦେଶବ୍ୟାପୀ ପ୍ରତିବାଦ କରିବାକୁ ପ୍ରସ୍ତୁତି
ଦିଲ୍ଲୀ: ନଭମ୍ବେର ୨୬ : କୃଷକ ଆନ୍ଦୋଳନକୁ ବର୍ଷେ ପୂରିବା ଅବସରରେ ଆଜି ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଏକାଠି ହୋଇଛନ୍ତି । ହରିୟାଣା ଓ ବହାଦୁରଗଞ୍ଜର କୃଷକମାନେ ଏହି ମହାପଞ୍ଚାୟତ ଅନୁଷ୍ଠିତ କରିଛନ୍ତି । କୌଣସି ହିଂସାକାଣ୍ଡ ଘଟିବା ଆଶଙ୍କାରେ ଦିଲ୍ଲୀ ସୀମାରେ ଥିବା ସୁରକ୍ଷାକୁ ବୃଦ୍ଧି କରାଯାଇଛି । ତିନି କୃଷି ଆଇନ ପ୍ରତ୍ୟାହାର ବିଲକୁ କ୍ୟାବିନେଟ ମଞ୍ଜୁରୀ ପରେ ମଧ୍ୟ କୃଷକ ସଙ୍ଗଠନର ଶକ୍ତି ପ୍ରଦର୍ଶନ ଚାଲିଛି । ଏମ୍ଏସ୍ପି ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ କୃଷକ ସଙ୍ଗଠନମାନେ ପୁଣି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆସନ୍ତାକାଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବୈଠକ କରାଯିବ ବୋଲି ସୂଚନା ମିଳିଛି ।
ଅନ୍ୟ ଏକ ସୂଚନା ଅନୁସାରେ, ଆସନ୍ତା ୨୯ରେ ଶୀତକାଳିନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଦିନ ସଂସଦ ଅଭିମୁଖେ କୃଷକମାନେ ଟ୍ରାକଫର ଶୋଭାଯାତ୍ରା କରିବେ । ଏହି ଶୋଭାଯାତ୍ରାରେ ୬୦ ଟ୍ରାକଫର ସହିତ ପ୍ରାୟ ହଜାରରୁ ଊର୍ଦ୍ଧ୍ୱଚାଷୀ ସାମିଲ ହେବେ । ତେବେ ଏହି ଶୋଭାଯାତ୍ରା ଉଦ୍ଦେଶ୍ୟ ଯେ, ଏମଏସପି ଗ୍ୟାରେଂଟି ପାଇଁ ଆଇନ ଆଣିବା ଓ ଆନ୍ଦୋଳନରତ ୭୫୦ କୃଷକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ୬ଟି ଦାବି ରହିଛି । ଏଥିପାଇଁ କୃଷକ ସଙ୍ଗଠନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ ।

Comments are closed.