ଲରମ୍ଭା ଅଞ୍ଚଳରେ ହାତୀ ଉପଦ୍ରବ

ପାଟଣାଗଡ: ସେପ୍‌ଟେମ୍ବର ୩୦ : ଏହି ବ୍ଲକ ଲରମ୍ଭା ପଞ୍ଚାୟତ ଅଞ୍ଚଳରେ ଗତ ଦୁଇ ଦିନ ଧରି ୨ଟି ବଣୁଆ ହାତୀ ଉପଦ୍ରବ ଚଳାଇଥିବା ଅଭିଯୋଗ ହୋଇଛି । ଉକ୍ତ ପଞ୍ଚାୟତର ଇନ୍ଦପୁର, ଲରମ୍ଭା, କହ୍ନେଇଟାଲ ଇତ୍ୟାଦି ଗ୍ରାମମାନଙ୍କରେ କିଛି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଥିବା ସହ ଧାନ, ମକା ଇତ୍ୟାଦି ବିଭିନ୍ନ ଫସଲ ନଷ୍ଟ କରିଦେଇଥିବା ଜଣାଯାଇଛି । ପ୍ରକାଶ ଯେ, ହାତୀ ଦୁଇଟି ପ୍ରଥମେ ଇନ୍ଦପୁର ଗ୍ରାମରେ ପଶି ଫଗନୁ ବନଗୁଲାଙ୍କ ମାଟି ଛପର ଘରକୁ ଭାଙ୍ଗି ଦେବା ସହ ସେ ଘରେ ରଖିଥିବା ଗୋଟିଏ ପ୍ୟାକେଟ ଚାଉଳ ଖାଇଦେବା ଜଣାଯାଇଛି । ପରେ ପରେ ସକାଳ ପ୍ରାୟ ୭ ଘଣ୍ଟା ୩୦ ମିନିଟ ବେଳକୁ ଲରମ୍ଭା ଗ୍ରାମର ଡୁଡୁକା ପଡାରେ ଲକ୍ଷ୍ମୀ ବରିହାଙ୍କ ଘର ଭାଙ୍ଗି ଦେବା ସହ ଦଶରଥ ବରିହାଙ୍କ ମକା କିଆରୀକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଉନ୍ମତ୍ତ ହାତୀ ଦୁଇଟି କହ୍ନେଇଟାଲ ଗ୍ରାମ ଅଭିମୁଖେ ଯାଇ କୃଷ୍ଣ ତାଣ୍ଡିଙ୍କ କ୍ଷେତରୁ ଧାନ ଖାଇଦେବା ସହ ଚୂଡାମଣୀ ସେଠଙ୍କ ଘର ଭାଙ୍ଗି ଦେଇ ୨ ବସ୍ତା ଚାଉଳ ଖାଇଦେଇଥିବା ଅଭିଯୋଗ ହୋଇଛି । ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିବା ସହ କୌଣସିମତେ ହାତୀମାନଙ୍କୁ ଘଉଡାଇ ଦେବା ଫଳରେ ହାତୀ ଦୁଇଟି ନିକଟସ୍ଥ ବୁଢାରଜା ଜଙ୍ଗଲ ଅଭିମୁଖେ ଚାଲିଯାଇଥିବା ଜଣାଯାଇଛି । ତେବେ ନିକଟସ୍ଥ ଜଙ୍ଗଲରେ ରହିଥିବା ହାତୀ ଦୁଇଟି ପୁଣି ଫେରିଆସି ଗ୍ରାମ ମାନଙ୍କରେ ଉପଦ୍ରବ କରି ଧନଜୀବନ ନଷ୍ଟ କରିବାର ଆଶଙ୍କାରେ ଜନସାଧାରଣ ଭୟଭୀତ ହୋଇ ରହିଥିବା ଜଣାଯାଇଛି । ଅନ୍ୟପଟେ ପାଟଣାଗଡ ବନଖଣ୍ଡ ଅନ୍ତର୍ଗତ ଲରମ୍ଭା ସେକସନର ଫରେଷ୍ଟର ଭାଗବତ ଦାସ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଫେରିଥିବା ଜଣାଯାଇଛି ।

Launching Ceremony of “AYUSHMAN BHARAT

Comments are closed.