ଜମନକିରା : ଜମନକିରା ବ୍ଲକ ଅଞ୍ଚଳରେ ଏବେ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି । ଗତକାଲି ବିଳମ୍ବିତ ରାତିରେ ହାତୀ ଆସି ଘର ଭାଙ୍ଗି ଦେଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ପରିବାର ଲୋକେ । ସୂଚନା ଯେ, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିବା ସହ ଲୋକେ ବଣ ଜଙ୍ଗଲରେ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଜାଳି ଦେଉଥିବା ବେଳେ ବଣୁଆ ଜୀବଜ;ୁମାନେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।
ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଖରମୁଣ୍ଡା ଗ୍ରାମରେ ଗୁରୁବାର ପ୍ରାୟ ରାତି ୧୨ ଟା ବେଳକୁ କିଛି ବଣୁଆ ହାତୀ ପସି ଆସିଥିଲେ । ହାତୀ ଆସିବା ଜାଣି ଗ୍ରାମବାସୀଙ୍କ ମଧ୍ୟରେ କୋଳାହଳ ସୃଷ୍ଟି ହେବା ବେଳେ ହାତୀ ଦଳ ଖରମୁଣ୍ଡା ଗ୍ରାମର ବାସିନ୍ଦା ନରେନ୍ଦ୍ର ଭଇସାଙ୍କ ଘର ଭାଙ୍ଗି ଦେଇଥିଲେ । ହେଲେ ସପରିବାର ଅନ୍ୟତ୍ର କୋଠରୀରେ ଶୋଇଥିବା ହେତୁ ସୌଭାଗ୍ୟ ବଶତଃବର୍ତ୍ତୀ ଯାଇଥିବା ପ୍ରକାଶ କରିଛନ୍ତି ।
ବଣୁଆ ହାତୀ ତାଙ୍କ ଘରକୁ ଦଳିଚକଟି ଦେଇଥିବା ବେଳେ ଘରର ଆଲମାରୀ, ବାକ୍ସ, ବ୍ୟବହାର କରୁଥିବା ବାସନ କୁସନ ସମ୍ପୂର୍ଣ ରୂପେ ନଷ୍ଟ ହୋଇଯାଇଥିବା ଶ୍ରୀ ଭଇସା ପ୍ରକାଶ କରିଛନ୍ତି । ଏହାକୁ ନେଇ ଶ୍ରୀ ଭଇସା ବନବିଭାଗକୁ ଲିଖିତ ଭାବେ ଜଣାଇବା ସହ କ୍ଷୟକ୍ଷତି ରାଶି ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ବନବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

Comments are closed.