ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇଜିପ୍ଟ ବିଦେଶ ମନ୍ତ୍ରୀ ଡ. ବଦ୍ର ଆବଦେଲତିଙ୍କୁ ଭେଟିଛନ୍ତି। ଏହି ସମୟରେ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଗାଜା ଶାନ୍ତି ଚୁକ୍ତି ନେଇ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତେହ ଏଲ-ସିସିଙ୍କ ଭୂମିକାର ପ୍ରଶଂସା କରିଛନ୍ତି। ଗାଜାରେ ଦୀର୍ଘକାଳୀନ ଶାନ୍ତି ପ୍ରତିଷ୍ଠା ଓ ସ୍ଥିରତା ନେଇ ଚୁକ୍ତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଇଜିପ୍ଟ ଓ କତର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶର୍ମ ଅଲ-ଶେଖ୍ରେ ଗତ ସପ୍ତାହରେ ହୋଇଥିବା ଗାଜା ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ରାଷ୍ଟ୍ରପତି ସିସି ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ମୋଦୀ ଏଥିରେ ଅଂଶଗ୍ରହଣ କରିପାରି ନ ଥିଲେ। ସମ୍ମିଳନୀରେ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଭାରତର ପ୍ରତିନିଧିତ୍ବ କରିଥିଲେ। ଶୁକ୍ରବାର ଆବଦେଲତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପ୍ରଥମ ଭାରତ-ଇଜିପ୍ଟ ରଣନୈତିକ ଆଲୋଚନା ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ବାଣିଜ୍ୟ, ଟେକ୍ନୋଲୋଜି, ଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗିତା ନେଇ ଆଲୋଚନାର ଅଗ୍ରଗତିରେ ସନ୍ତୋଷବ୍ୟକ୍ତ କରିଥିଲେ।
