ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଜୁନ ୨୪: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । କୁହାଯାଉଛି ଯେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ବିରୋଧୀ ଦଳର ନେତାଙ୍କଠାରୁ ସମର୍ଥନ ଲୋଡିଥିଲେ । ଏହି ନେତାମାନେ ତାଙ୍କୁ କଣ ଆଶ୍ୱାସନା ଦେଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏହାରି ମଧ୍ୟରେ ଏବେ ଆଲୋଚନା ହେଉଛି ଯେ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁ ନିର୍ବିରୋଧ ନିର୍ବାଚିତ ହେବେ କି ? ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଆଜି ଏନଡିଏ ପ୍ରାର୍ଥିନୀ ଭାବେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ବିଜେପି ନେତାଙ୍କ ବ୍ୟତୀତ, ବିଜେଡି ପକ୍ଷରୁ ଜଗନ୍ନାଥ ସାରକା, ଟୁକୁନି ସାହୁ, ୱାଇଏସଆର କଂଗ୍ରେସର ବିଜୟାସାଇ ରେzୀ, ଏଆଇଡିଏମକେ ନେତା ପନିର ସେଲଭମ, ଥମ୍ବି ଦୁରାଇ,ଜନତା ଦଳ ୟୁନାଇଟେଡ୍ ରାଜୀବ ରଂଜନ ସିଂ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନାମାଙ୍କନ ପାଇଁ ପ୍ରତ୍ୟେକ ସେଟ୍ ନିର୍ବାଚିତ ପ୍ରତିନିଧୀଙ୍କ ମଧ୍ୟରେ ୫୦ ଜଣ ପ୍ରସ୍ତାବକ ଏବଂ ୫୦ଜଣ ଅନୁମୋଦକ ଆବଶ୍ୟକ ହୋଇଥାଏ । ନିର୍ବାଚିତ ହେଲେ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ ।
Comments are closed.