ପୁଣି ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ୍‌

ଜମ୍ମୁ: ମଇ ୧୪: ପଣ୍ଡ ହେଲା ପାକିସ୍ତାନର ଷଡଯନ୍ତ୍ର । ଅନ୍ତର୍ଜାତୀୟ ସୀମାରେ ମୁତୟନ ବିଏସଏଫ ଯବାନ ଶନିବାର ଭୋରରୁ ପାକିସ୍ତାନ ପକ୍ଷରୁ ଆସିଥିବା ଏକ ଡ୍ରୋନ୍‌ ଉପରେ ଗୁଳିମାଡ କରିଛନ୍ତି । ଫଳରେ ଡ୍ରୋନଟି ଭାରତୀୟ ସେନାଙ୍କ ଆକ୍ରମଣରେ ନିଜ ଦେଶକୁ ଫେରିଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ଡ୍ରୋନ୍‌ ଦ୍ୱାରା କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ମାଦକ ପଦାର୍ଥ ପକାଯାଇଛି କି ନାହିଁ ସଂପୃକ୍ତ ଅଞ୍ଚଳରେ ସେନେଇ ବ୍ୟାପକ ଛାନଭିନ୍‌ କରାଯାଉଛି । ବିଏସଏଫର ଉପ ମହାନୀରିକ୍ଷକ ଏସପି ସନ୍ଧୁ କହିଛନ୍ତି ଯେ, ଶନିବାର ଭୋରରୁ ବିଏସଏଫ ଯବାନମାନେ ଆକାଶରେ ଏକ ଉଜ୍ୱଳ ଆଲୋକ ଦେଖିଥିଲେ । ପରେ ତାହା ଏକ ପାକିସ୍ତାନୀ ଡ୍ରୋନ୍‌ ବୋଲି ଜଣାପଡିଥିଲା । ଅରନିୟା ଅଞ୍ଚଳରେ ତୁରନ୍ତ ସେହି ଦିଗରେ ଗୁଳି ମାଡ କରାଯାଇଥିଲା । ଫଳରେ ପାକିସ୍ତାନୀ ଡ୍ରୋନଟି ଫେରିଯାଇଥିଲା । ସଂପୃକ୍ତ ଅଞ୍ଚଳରେ ମିଳିତ ଅପରେସନ୍‌ ଆରମ୍ଭ କରାଯାଇଛି । ଅଧିକାରୀଙ୍କ ଅନୁସାରେ ବିଏସଏଫ ଯବାନ ଭୋର ପ୍ରାୟ ୪ଟା ୪୫ ମିନିଟ୍‌ ସମୟରେ ପାକିସ୍ତାନ ଡ୍ରୋନ ଦେଖିଥିଲେ । ତାହାକୁ ତଳକୁ ଖସାଇବା ପାଇଁ ପ୍ରାୟ ୮ଟି ଗୁଳି ଚଳାଇଥିଲେ । ଡ୍ରୋନ ସେହିଠାରେ କିଛି ସମୟ ଘୁରିବା ପରେ ଫେରିଯାଇଥିଲା । ଏହାପରେ ସଂପୃକ୍ତ ଅଞ୍ଚଳରେ ଛାନଭିନ୍‌ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ୭ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ମେ ୭ ତାରିଖରେ ଏହି ଅଞ୍ଚଳରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନ୍‌ ଉପରକୁ ଗୁଳି ମାଡ କରିଥିଲେ । ଯାହା ଫଳରେ ଡ୍ରୋନକୁ ଫେରିବାକୁ ପଡିଥିଲା ।

Govt

Comments are closed.