କଟକ:ଜୁଲାଇ ୧୧: ଚାକିରିରୁ ଅବସର ନେଇଥିବା ରାଜ୍ୟର ପ୍ରତିଷ୍ଠିତ ରୁମାଟୋଲୋଜିଷ୍ଟ ପ୍ରଫେସର୍ ଡାକ୍ତର ବିଦ୍ୟୁତ ଦାସ ପୁଣି କଟକ ବଡ଼ ଡାକ୍ତରଖାନାକୁ ଫେରିଛନ୍ତି । ସରକାର ତାଙ୍କୁ ପୁଣି ଏକବର୍ଷ ପାଇଁ ଚୁକ୍ତିଭିତ୍ତିକ ପ୍ରଫେସର୍ ଭାବେ ନିଯୁକ୍ତ କରିଛନ୍ତି । ଆସନ୍ତା ସପ୍ତାହକ ଭିତରେ ସେ ଏସସିବିରେ ପୁଣି ରୋଗୀ ସେବା ଯୋଗାଇଦେବେ ବୋଲି ଜଣାପଡ଼ିଛି । ଉଲ୍ଲେଖ୍ୟ, ଚାକିରି ଜୀବନରେ ଓ ଚାକିରି ସରିବା ପରେ ବି ଆଜି ପର୍ଯ୍ୟନ୍ତ ଘରୋଇ ଭାବେ ରୋଗୀ ନଦେଖିବା ତଥା କେବଳ ସରକାରୀ ବ୍ୟବସ୍ଥାରେ ରୋଗୀଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତର ଦାସ ରାଜ୍ୟ ସ୍ୱାସ୍ଥ୍ୟସେବାରେ ଏକ ଚର୍ଚ୍ଚିତ ନାଁ । ଏହି କାରଣରୁ ତାଙ୍କ ଓପିଡି ଦିନମାନଙ୍କରେ ରୋଗୀମାନେ ଲମ୍ବା ଲାଇନରେ ଠିଆ ହୋଇ ତାଙ୍କୁ ଦେଖାଇବା ପାଇଁ ଅପେକ୍ଷା କରିଆସୁଥିଲେ । ଗତ ଜୁନ୍ ୩୦ ତାରିଖରେ ପ୍ରଫେସର ଡାକ୍ତର ଦାସ ଅବସରଗ୍ରହଣ କରିବାର ଦୁଇଦିନ ପୂର୍ବରୁ ରୁମାଟୋଲୋଜି ବିଭାଗର ନାମ ପରିବର୍ତ୍ତନ କରାଯାଇ କ୍ଲିନିକାଲ ଇମ୍ୟୁନୋଲୋଜି ଏଣ୍ଡ ରୁମାଟୋଲୋଜି କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେବଳ ସେତିକି ନୁହେଁ, ବିଭାଗରେ ଡକଫର ଅଫ୍ ନାସନାଲ୍ ବୋର୍ଡ(ଡିଆର୍ଏନ୍ୱି) ପାଠ୍ୟକ୍ରମ ଚଳିତବର୍ଷରୁ ଆରମ୍ଭ ହୋଇଥିବାରୁ ପ୍ରଫେସର୍ ଡାକ୍ତର ଦାସଙ୍କ ପରେ ଏହି ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଜଳଜଳ ଦେଖାଯାଉଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରଫେସର ଦାସଙ୍କୁ ଅବସର ପରେ ପୁଣି ନିଯୁକ୍ତି ଦେଇଛନ୍ତି । ଏବେ ବିଭାଗ ଜଣେ ଚୁକ୍ତିଭିତ୍ତିକ ପ୍ରଫେସର୍, ଜଣେ ଆସିଷ୍ଟାଣ୍ଟ ଓ ଜଣେ ଚୁକ୍ତିଭିତ୍ତିକ ପ୍ରଫେସରଙ୍କୁ ନେଇ ଚାଲିବ । ସରକାର କଟକ ବଡ଼ ଡାକ୍ତରଖାନାକୁ ବିଶ୍ୱସ୍ତରୀୟ କରିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ରାଜ୍ୟର ସବୁଠୁ ବଡ଼ ରେଫରାଲ୍ ହସ୍ପିଟାଲ ଭାବେ ଏସସିବିରେ ଏବେ ବିଶେଷଜ୍ଞ ଡାକ୍ତର ସମସ୍ୟା ଏକ ବିରାଟ ସମସ୍ୟା ଭାବେ ଦେଖାଦେଇଛି ।

Comments are closed.