ୱାଶିଂଟନ : ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ଓରେମର ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏହି ଗୁଳିକାଣ୍ଡ ଘଟିଛି । ଚାର୍ଲି କିର୍କ ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଗୁଳିକାଣ୍ଡ ଘଟିଥିଲା । ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି । ଟ୍ରମ୍ପ ସୋସିଆଲ ମିଡ଼ିଆରେ କହିଛନ୍ତି ଯେ କିର୍କ ‘ସମସ୍ତଙ୍କ ପ୍ର୍ରିୟ ଥିଲେ । ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ । ଟର୍ଣ୍ଣିଂ ପଏଣ୍ଟ ୟୁଏସଏର ପ୍ରତିଷ୍ଠାତା ହେଉଛନ୍ତି ୩୧ବର୍ଷୀୟ ଚାର୍ଲି କିର୍କ ।
ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଏକ ଧଳା ତମ୍ବୁ ତଳେ ଭାଷଣ ଦେଉଥିବା ବେଳେ ତାଙ୍କ ବେକରେ ହଠାତ ଗୁଳି ବାଜିଥିଲା । ଗୁଳି ବାଜିବା ମାତ୍ରେ କିର୍କ ତଳେ ପଡିଯାଇଥିଲେ ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଏଠାରେ ଡାକ୍ତରମାନେ କିର୍କଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ତେବେ ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ୨୦୦ ମିଟର ଦୂରତାରୁ ଛାତ ଉପରୁ ଗୁଳି ଚଳାଇଥିଲା ଅଭିଯୁକ୍ତ । ଏହା ଜଣେ ପେସାଦାର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ଚାର୍ଲିଙ୍କ ହତ୍ୟା ପରେ ହ୍ୱାଇଟ୍ ହାଉସ୍ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଟ୍ରମ୍ପ ଆମେରିକାରେ ଜାତୀୟ ଶୋକ ଘୋଷଣା କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, “ଚାର୍ଲି କିର୍କ ଜଣେ ପ୍ରକୃତ ମହାନ ଆମେରିକୀୟ ଦେଶଭକ୍ତ ଥିଲେ। ତାଙ୍କ ସମ୍ମାନାର୍ଥେ,ରବିବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଆମେରିକାର ସମସ୍ତ ଆମେରିକୀୟ ପତାକା ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦେଉଛି।”

Comments are closed.