ନୂଆଦିଲ୍ଲୀ: ଭାରତର ପ୍ରଚଳିତ ପେମେଣ୍ଟ ସିଷ୍ଟମ, ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ବ୍ୟବସ୍ଥାକୁ ଅଧିକ ସହଜ ଓ ସୁରକ୍ଷିତ କରାଯାଇଛି । ଏଣିକି ୟୁପିଆଇରେ ଅର୍ଥ ନେଣଦେଣ କରୁଥିବା ୟୁଜର୍ସଙ୍କୁ ପେମେଣ୍ଟ କରିବା ପାଇଁ ଆଉ ପିନ୍ ଦେବାକୁ ପଡ଼ିବନାହିଁ । ଏହା ବଦଳରେ ଫେସ୍ ସ୍କାନ କିମ୍ବା ଫିଙ୍ଗରପ୍ରିଣ୍ଟ୍ ବା ଟିପଚିହ୍ନ ଦ୍ବାରା ପେମେଣ୍ଟ କରିହେବ। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅକ୍ଟୋର୍ବର ୮ ତାରିଖରୁ ଏହି ନିୟମ ଲାଗୁହେବ ।
ୟୁପିଆଇ ସଞ୍ଚାଳନ କରୁଥିବା ଏଜେନ୍ସି ଏନପିସିଆଇ ନୂଆ ବାୟୋମେଟ୍ରିକ୍ ଫିଚରକୁ କେନ୍ଦ୍ର ସରକାର ୭ ଅକ୍ଟୋବରରେ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ୟୁପିଆଇ ପେମେଣ୍ଟ ଅଧିକ ସୁବିଧାଜନକ, ସୁରକ୍ଷିତ ଏବଂ ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ହୋଇଛି । ନୂଆ ଫିଚରରେ ୟୁପିଆଇ ପୈଠ ପାଇଁ ପିନ୍ ର ଆବଶ୍ୟକତା ବାଧ୍ୟତାମୂଳକ ରହିବନି ।
ୟୁପିଆଇର ନୂଆ ୟୁଜର ହୋଇଥିଲେ ବା ପିନ୍ ଭୁଲି ଯାଇଥିରେ ଆପଣ ଫିଙ୍ଗରପ୍ରିଣ୍ଟ ବ୍ୟବହାର କରିପାରିବେ। ନୂଆ ଫିଚରରେ ଆପଣଙ୍କୁ ଡେବିଟ୍ କାର୍ଡର ସୂଚନା ବା ଓଟିପି ଉପରେ ନିର୍ଭର ରହିବାକୁ ପଡିବନି। ସିଧା ପିଙ୍ଗରପ୍ରିଣ୍ଟ ଜରିଆରେ ନିଜ ୟୁପିଆଇ ପିନ୍ ସେଟ୍ ବା ରିସେଟ୍ କରିପାରିବେ। ୟୁପିଆଇ ଜରିଆରେ ଏବେ ଆପଣ ଏଟିଏମରୁ କ୍ୟାଶ୍ ବାହାର କରିପାରିବେ। ସେଠାରେ ମଧ୍ୟ ପିନ୍ ବଦଳରେ ବାୟୋମେଟ୍ରିକ୍, ଅଥେଣ୍ଟିକେସନ ବ୍ୟବହାର କରିହେବ।
ଏକ ରିପୋର୍ଟ ଅନୁସାରେ, ନୂଆ ସୁବିଧା ଦ୍ବାରା ପେମେଣ୍ଟର ଅଥେଣ୍ଟିକେସନ ଭାରତ ସରକାରଙ୍କ ଆଧାର ସିଷ୍ଟମରେ ଥିବା ବାୟୋମେଟ୍ରିକ୍ସ ଡାଟା ମାଧ୍ୟମରେ କରାଯିବ। ଅର୍ଥାତ ୟୁଜର୍ସଙ୍କ ଫେସ୍ କିମ୍ବା ଫିଙ୍ଗରପ୍ରିଣ୍ଟ ସେମାନଙ୍କ ଆଧାର ତଥ୍ୟ ସହ ମେଳ କରାଯିବ। ଏହାପରେ ଯାଇ ପେମେଣ୍ଟକୁ ଅନୁମତି ମିଳିପାରିବ।
ବର୍ତ୍ତମାନ ୟୁପିଆଇରେ ୟୁଜର୍ସଙ୍କୁ କାରବାର କରିବା ପାଇଁ ୪ କିମ୍ବା ୬ ଅଙ୍କର ପିନ୍ ଦେବାକୁ ପଡ଼ୁଛି। ନୂଆ ସିଷ୍ଟମ୍ଲାଗୁ ହେବା ପରେ ଫେସ୍ ସ୍କାନ କିମ୍ବା ଫିଙ୍ଗରପ୍ରିଣ୍ଟ ସେନ୍ସର ଜରିଆରେ ପେମେଣ୍ଟ ତୁରନ୍ତ ଅଥେଣ୍ଟିକେସନ ବା ଭେରିଫାଏ ହୋଇଯିବ। ଏହାଦ୍ବାରା ଅଥେଣ୍ଟିକେସନ ସମୟ କମିବ, ସୁରକ୍ଷା ବଢ଼ିବ ଏବଂ ୟୁଜର ଏକ୍ସପିରିଏନ୍ସ ଆହୁରି ସହଜ ହେବ।
