ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଛି । ଦୁଇ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ଲଖନପୁର ବ୍ଲକ ବାଦିମାଲ ଗାଁରେ ଗୋଟିଏ ପରିବାରର ୩ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ ମହିଳା ଜଣଙ୍କ ହେଲେ ପ୍ରିୟଙ୍କା ପ୍ରଧାନ । ଗୁରୁବାର ବାଦିମାଲ ଗାଁରେ ମେଡିକାଲ ଟିମ୍ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ ବୋଲି ଜଣାଯାଇଛି ।
ଜିଲ୍ଲାର ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜା ଅନ୍ତର୍ଗତ ପିଥିଣ୍ଡା ଓ ବାଦିମାଲ ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିଛି । ପିଥିଣ୍ଡାରେ ୨୬ରୁ ଅଧିକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେହିପରି ବାଦିମାଲ ଗାଁରେ ମଧ୍ୟ ୨ ଦିନ ମଧ୍ୟରେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇିଛି । ସୂଚନା ମୁତାବକ, ପିଥିଣ୍ଡା ଗାଁରେ ମଙ୍ଗଲବାର ୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚଥିବା ଲଖନପୁର ଡ଼ାକ୍ତରଖାନା ଅଧିକାରୀ ଡା. ବୈକୁଣ୍ଠନାଥ କଶ୍ୟପ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତୀତ ବର୍ତ୍ତମାନ ସୁଦ୍ଧା ଲଖନପୁର ଚିକିତ୍ସାଳୟରେ ୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସେଠାରୁ ୧୦ରୁ ଅଧିକ ଗୁରୁତର ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି ।
ଗୁରୁବାର ଆଜି ପିଥିଣ୍ଡା ଗାଁକୁ ଡା. କଶ୍ୟପଙ୍କ ସମେତ ଏକ ଦଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡା. ମଧୁମିତା ସାହୁ, ଡା. ରତ୍ନାକର ଚୌଧୁରୀ, ଡା. ରାଜେଶ ପଟେଲ ପ୍ରମୁଖ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ଏହାବାଦ୍ ଗାଁର ବିଭିନ୍ନ ସ୍ଥାନରୁ ଗ୍ରାମବାସୀ ପାନୀୟ ଜଳ ଭାବରେ ବ୍ୟବହାର କରୁଥିବା ପାଣି ନମୁନା ସଂଗ୍ରହ କରାଯାଇଥିବା ଡା. କଶ୍ୟପ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ ଓ ବିଡିଓ ଜୟନ୍ତ ସାହୁ ପ୍ରମୁଖ ଗାଁକୁ ଯାଇ ସ୍ଥିତି ତଦାରଖ କରିଛନ୍ତି ।
ବାଦିମାଲ ଗାଁରେ ମଙ୍ଗଳବାର ଦିନରୁ ଝାଡ଼ାବାନ୍ତି ରୋଗ ବ୍ୟାପିଛି । ପ୍ରଥମଦିନ ଗାଁର ପ୍ରିୟଙ୍କା ପଧାନ (୨୦), ନୀର ପଧାନ (୫୦), ଅଭିମନ୍ୟୁ ଭୋଇ (୪୨), ଗୀତା ଭୋଇ (୪୩) ଓ ସନତ ପଧନ (୩୨) ଆକ୍ରାନ୍ତ ହୋଇ ପ୍ରଥମେ ଲଖନପୁର ଓ ପରେ ନିଜସ୍ୱ ସାଧନରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ । ମାତ୍ର ଚିକିତ୍ସିତ ଅବସ୍ଥାରେ ପ୍ରିୟଙ୍କା ପଧାନଙ୍କ ମୃତ୍ୟୁ ହୋଇଛି । ତାଙ୍କ ମା’ ନୀର ପଧାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସ୍ଥାନୀୟ ସରପଞ୍ଚ ରାଜେଶ ପଧାନଙ୍କ ନିକଟରୁ ସୂଚନା ମିଲିଛି ।
ଲଖନପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ଡାକ୍ତରଙ୍କ ନିକଟରେ ବାଦିମାଲ ଗାଁର ଝାଡାବାନ୍ତି ଘଟଣା ଓ ଆକ୍ରାନ୍ତଙ୍କ ସମ୍ପର୍କରେ ସଠିକ୍ ଖବର ନଥିବା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ମୁଖ୍ୟ ଡା. କଶ୍ୟପ କହିଛନ୍ତି । ପ୍ରକାଶ ଥାଉକି ଗତ ୧୫ ଦିନ ପୂର୍ବେ ଝାରସୁଗୁଡ଼ା ପୌରାଞ୍ଚଳର ଦେବାଡ଼ିହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିଲା । ସେହି ସମୟରେ ଜଣକର ମୃତୁ୍ୟ ହୋଇଥିବା ବେଳେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗାଁକୁ ପରିଦର୍ଶନ କରିଥିଲେ ।
ସେହିପରି ଅବିଭକ୍ତ କୋରାପୁଟ ଜିଲାର ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଝରଣା ପାଣିରୁ ଡ଼ାଇରିଆ ବ୍ୟାପି ୧୩ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ଉତ୍କଟଧାରଣ କରିଛି । ଝାଡ଼ାବାନ୍ତିରେ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଜଣ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ମେଡିକାଲ ଟିମ୍ କାଶୀପୁରରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ସ୍ଥିତି ଉପରେ ନଜର ରଖିଥିଲେ । କିନ୍ତୁ ଏବେ ବି ଅପହଞ୍ଚ ଇଲାକାରେ ଝାଡ଼ାବାନ୍ତି ବ୍ୟାପୀଥିବା ଜଣାପଡ଼ିଛି ।

Comments are closed.