ବିହାର : ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଅକ୍ଟୋବର ୬ ତାରିଖ ପରେ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ । ଆସନ ହାତେଇବାକୁ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଛି ବିହାରର କମାଣ୍ଡ । ବିଧାନସଭା ନିର୍ବାଚନ ପ୍ରଭାରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ଦେଇଛି ବିଜେପି । ବିହାରରେ ନିର୍ବାଚନ ଭାର ସମ୍ଭାଳିବେ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସିଆର ପାଟିଲ ଓ କେଶବ ମୌର୍ଯ୍ୟାଙ୍କୁ ଦିଆଯାଇଛି ସହପ୍ରଭାରୀ ଦାୟିତ୍ବ । ପୂର୍ବରୁ ହରିଆଣା ଏବଂ କର୍ଣାଟକ ନିର୍ବାଚନରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ । ଅନ୍ୟପଟେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଦିଲ୍ଲୀର ସଂଗଠନ ଓ ନିର୍ବାଚନ ଇନଚାର୍ଜ ଥିଲେ ବୈଜୟନ୍ତ । ଏହା ସହ ଆସାମ ଓ ୟୁପିରେ ସଂଗଠନ ଇନ୍ଚାର୍ଜ ଭାବେ ଦାୟିତ୍ବ ତୁଲାଇଥିଲେ ବୈଜୟନ୍ତ । ଏହା ସହ ଭୂପେନ୍ଦ୍ର ଯାଦବ ହେଲେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ । ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସହ ପ୍ରଭାରୀ ଭାବେ ବିପ୍ଳବ କୁମାର ଦେବଙ୍କୁ ଦାୟିତ୍ୱ ଦିଆଯାଇଛି ।ଯେକୌଣସି ମୁହୂର୍ତ୍ତରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା । ଯାହା ସୂଚନା ମିଳୁଛି ଆସନ୍ତା ନଭେମ୍ବର ସୁଦ୍ଧା ହୋଇପାରେ ବିହାର ନିର୍ବାଚନ । ଏହା ସହ ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ପଶ୍ଚିମବଙ୍ଗ ନିର୍ବାଚନ ଓ ଆସନ୍ତା ବର୍ଷ ଏପ୍ରିଲ-ମେ’ ବେଳକୁ ତାମିଲନାଡୁ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଜୋରଦାର କଲେଣି ।

Comments are closed.