ଭୁବନେଶ୍ୱର : ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସେ ପ୍ରାୟ ଏକମାସ ଧାତି କିଡ୍ନୀ ଜନିତ ରୋଗରେ ପୀଡିତ ଥିଲେ I ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଭୁବନେଶ୍ୱର ଏମ୍ସରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି ।
ଖବର ଅନୁସାରେ ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ କିଡନୀଜନିତ ରୋଗରେ ଅସୁସ୍ଥ ଥିଲେ। ହେଲେ ମାସେ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିବା ଜଣାପଡ଼ିଥିବା ବେଳେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଫଳରେ ଅବସ୍ଥା ଗୁରୁତର ହେବାରୁ ପ୍ରାୟ ମାସେ ହେଲା ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପ୍ରାୟ ୭ଟା ୪୫ ମିନିଟ୍ରେ ଆଖି ବୁଜିଛନ୍ତି ବିଜେପିର ଏହି ପୁରୁଖା ନେତା। ଏନେଇ ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।
ବିଧାୟକ ବିଷ୍ଣୁ ସେଠୀଙ୍କର ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ଖୁବ ଦକ୍ଷତା ଥିଲା I ଅନେକ ସମୟରେ ରାଜନୈତିକ ପ୍ରସଙ୍ଗକୁ ନେଇ ସେ ନିଜର ଶାଣିତ ସ୍ୱରରେ ସରକାରଙ୍କୁ ଘାଇଲା କରୁଥିଲେ I ସେ ବିଜେପିର ଜଣେ ଟାଣୁଆ ନେତା ଭାବରେ ବେଶ ଜଣାଶୁଣା ଥିଲେ I
୨୦୦୦-୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ସେହି ଆସନରୁ ସେ ପରାଜିତ ହୋଇଥିଲା । ୨୦୦୬ରେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥିରେ ସେ ପରାଜିତ ହୋଇଥିଲା । ଶେଷରେ ୨୦୧୯ରେ ଧାମନଗର ଆସନରୁ ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚେକ୍ ଦେଇ ବିଜୟୀ ହୋଇଥିଲା । ଆଉ ବିଜେପି ଦଳ ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲା । ବିଧାୟକ ବିଷ୍ନୁ ସେଠୀଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ଏମ୍ସ ରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଛନ୍ତି I ତାଙ୍କ ଅକାଳ ବିୟୋଗରେ ରାଜନୈତିକ ମହଲ ରେ ଶୋକର ଛାୟା ଖେଳିଯାଇଛି I

Comments are closed.