ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡର୍ନାଭିସ୍ଙ୍କ ଉପରେ ସାଂଘାତିକ ଅଭିଯୋଗ କଲେ ନବାବ: କହିଲେ ଅଣ୍ଡରୱାଲ୍ର୍ଡ ସହିତ ସମ୍ପର୍କ ରହିଛି ଏବଂ ଦାଦାବଟି ଆଦାୟ କରନ୍ତି
ମହାରାଷ୍ଟ୍ର: ନଭେମ୍ବର ୧୦: କ୍ରୁଜ ଡ୍ରଗ୍ସ ମାମଲା ପରଠାରୁ ମହାରାଷ୍ଟ୍ରର ରାଜନୀତିରେ ବିବାଦ ଆରମ୍ଭ ହୋଇଛି । ମନ୍ତ୍ରୀ ନବାବ ମଲ୍ଲିକ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ କରାଇ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଆଜି ନବାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ନାଭିସଙ୍କ ଉପରେ ଏକ ସାଂଘାତିକ ଅଭିଯୋଗ କରିଛନ୍ତି । ଫଡର୍ନାଭିସଙ୍କ ସମ୍ପର୍କ ଅଣ୍ଡରୱାଲ୍ର୍ଡ ଡନ ଦାଉଦ୍ ଇବ୍ରାହିମଙ୍କ ସହିତ ରହିଛି ବୋଲି କହିଛନ୍ତି । ମଲ୍ଲିକ କହିଛନ୍ତି, ଡନ୍ ଡାଉଦ୍ ଇବ୍ରାହିମଙ୍କ ସହଯୋଗୀ ରିୟାଜ ଭାଟିଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ ରହିଛି ।
ଏଥିପାଇଁ ନବାବ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ କହିଛନ୍ତି, ରିୟାଜ ଭାଟି କିଏ? ତାଙ୍କୁ ଏକ ନକଲି ପାସପୋର୍ଟ ସହିତ ଧରାଯାଇଥିଲା ଏବଂ ଦାଉଦ ସହିତ ସଂଯୁକ୍ତ କରାଯାଇଥିଲା । ଦୁଇ ଦିନ ମଧ୍ୟରେ ରିୟାଜଙ୍କୁ ଛାଡ଼ି ଦିଆଯାଇଥିଲା । ସେ ଫଡର୍ନାଭିସ୍ଙ୍କ ସହିତ କାର୍ଯ୍ୟକ୍ରମରେ ଏବଂ ବିଜେପି ଇଭେଣ୍ଟରେ ମଧ୍ୟ ଦେଖିବାକୁ ମିଳିଥିଲା ।
ଏହାସହ ସେ ଆହୁରୀ କହିଛନ୍ତି ଯେ, ଫଡର୍ନାଭିସଙ୍କ ଇସାରାରେ ମହାରାଷ୍ଟ୍ରରେ ନକଲି ନୋଟ୍ କାରବାର ଚାଲିଥିଲା । ଏହିପରି କି ତାଙ୍କ ଇସାରାରେ ରାଜ୍ୟରେ ଦାଦାବଟି ଆଦାୟ କାମ ମଧ୍ୟ ଚାଲିଥିଲା । ଯେତେବେଳେ କୌଣସି ମାମଲାରେ ଅଣ୍ଡରୱାଲ୍ର୍ଡ ଗ୍ୟାଙ୍ଗର ଫୋନ ଆସୁଥିଲା ସେତେବେଳେ ମୁମ୍ବାଇ ପୋଲିସ ଅନେକ ମାମଲାକୁ ରଫାଦଫା କରିଦେଉଥିଲା । ଏସବୁ ପଛରେ ଫଡର୍ନାଭିସଙ୍କ ହାତ ରହିଛି । ସବୁଠାରୁ ବଡ ଓ ସାଂଘାତିକ ଅଭିଯୋଗ ଆଣି ନୱାବ କହିଛନ୍ତି କି, ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ବିମୁଦ୍ରିକରଣ ଘୋଷଣା କରିଥିଲେ । ଏହାଦ୍ୱାରା ନକଲି ନୋଟ୍ କାରବାର ବନ୍ଦ ହେବା ସହ କଳା ଧନ ଓ ଆତଙ୍କବାଦ ସମାପ୍ତ ହୋଇଯିବ । ଏହି କ୍ରମରେ ବି ଦେଶରେ ଅନେକ ସ୍ଥାନରୁ କୋଟି କୋଟି ଟଙ୍କାର ନକଲି ନୋଟ ଧରାପଡିଥିଲା ହେଲେ ୨୦୧୭ ଅକେଫାବର ୮ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ନକଲି ନୋଟ୍ ନେଇ ଗୋଟିଏ ବି ମାମଲା ରୁଜୁ ହୋଇ ନଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ, ଫଡର୍ନାଭିସଙ୍କ ନକଲ ନୋଟ୍ କାରବାର ସହ ଲିଙ୍କ୍ ରହିଥିଲା ।

Comments are closed.