ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ସ୍କୁଲରେ ଅନୁପସ୍ଥିତ ଥିବା ୪ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଠ ଜାଣୁନାହାନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଡିଇଓ ଶ୍ରୀମତୀ ମୁର୍ମୁ ପ୍ରଥମେ ଠଙ୍ଗୋ ୟୁପି ସ୍କୁଲରେ ସକାଳ ୯ଟା ୧୫ରେ ପହଞ୍ଚିଥିଲେ । ସ୍କୁଲରେ ୪ ଜଣ ଶିକ୍ଷକ ଅନୁପସ୍ଥିତ ରହିଥିବା ଦେଖିଥିଲେ । ପଚରାଉଚୁରା ପରେ ଶ୍ରୀମତୀ ମୁର୍ମୁ ସଂପୃକ୍ତ ୪ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ କୋମନା ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପରେ ବୋଡ଼େନ ବ୍ଲକ୍ ନାଗପଡ଼ା କଲୋନି ପ୍ରାଥମିକ ସ୍କୁଲ, ଜାମଗାଁ ୟୁପି ସ୍କୁଲ, ବୋଇରଗାଁ ୟୁପି ସ୍କୁଲ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ନିମନା ୟୁପି ସ୍କୁଲ ପରିଦର୍ଶନରେ ଯାଇଥିଲେ । ଜାମଗାଁ ସ୍କୁଲର ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ‘ମୌଳିକ ଅକ୍ଷର ଜ୍ଞାନ’ ବିଷୟରେ ପଚାରିଥିଲେ । ଛାତ୍ରଛାତ୍ରୀ ଏହା ଜାଣି ନଥିବାରୁ ପ୍ରଧାନ ଶିକ୍ଷକଙ୍କ ସମେତ ଦୁଇଜଣ ସହକାରୀ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିଲାଙ୍କ ପାଠପଢ଼ା, ବିଦ୍ୟାଳୟ ପରିବେଶ, ବିଦ୍ୟାଳୟ ନିରାପତ୍ତା, ପୁସ୍ତକ ବଣ୍ଟନ ଏବଂ ଭିନ୍ନକ୍ଷମ ପିଲାଙ୍କ ସୁବିଧା ସୁଯୋଗ ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରୀମତୀ ମୁର୍ମୁ ନିର୍ଦେଶ ଦେଇଥିଲେ । ଡିଇଓଙ୍କ ଅଚାନକ ପରିଦର୍ଶନକୁ ନେଇ ଶିକ୍ଷକଙ୍କ ମହଲରେ ଛନକା ପଶିଛି ।

Comments are closed.