ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ ଛ ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।

ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି ।

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି । ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।

ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ସେବକମାନେ ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା’ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି । ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି । ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ ।

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ‘ଅଣତୁଠ ପାଣି’ ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ବୋଲି କୁହାଯାଏ । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ‘ଅଣସର’ କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।

Govt

Comments are closed.