ଗାମ୍ବିଆରେ କଫ୍‌ ସିରପ ପିଇ ୬୬ ଜଣ ଶିଶୁଙ୍କ ମୃତୁ୍ୟ ଘଟଣା: ଓଡ଼ିଶାରେ ଯାଞ୍ଚ କରିବରାକୁ ଡିଆଇଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଭାରତର ହରିୟାଣାରେ ପ୍ରସ୍ତୁତ କଫ୍‌ ସିରପ୍‌ ପିଇ ଆଫ୍ରିକା ଦେଶ ଗାମ୍ବିଆରେ ୬୬ଜଣ ଶିଶୁଙ୍କ ମୃତୁ୍ୟ ଘଟଣା ବିଶ୍ୱବ୍ୟାପି ହଇଚଇ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ସିରପ୍‌ ନ ଖାଇବା ନେଇ ସତର୍କତା ଜାରି କରାଯାଇଛି । ଏହି ଘଟଣାକୁ ଭାରତ ସରକାର ଖୁବ୍‌ ଗୁରୁତର ସହିତ ନେଇ ଏଠାର ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶାରେ ମଧ୍ୟ ସଂପୃକ୍ତ କମ୍ପାନିର କଫ୍‌ ସିରପ୍‌ ବିକ୍ରି ହେଉଛି ନା ନାହିଁ, ତାହାର ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାର ଡ୍ରଗ୍‌ ଇନ୍ସପେକ୍‌ଟର (ଡିଆଇ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କଫ୍‌ ସିରପ ମିଳେ, ତେବେ ନମୁନା ସଂଗ୍ରହ ପାଇଁ ଡିଆଇମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭେଷଜ ନିର୍ଦ୍ଦେଶାଳୟ ସୂଚନା ଅନୁସାରେ, ହରିୟାଣାର ମେଡେନ୍‌ କମ୍ପାନି ସଂପୃକ୍ତ କଫ୍‌ ସିରପ୍‌ ରପ୍ତାନି ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିଲା । ଏଣୁ ଭାରତର ରାଜ୍ୟଗୁଡ଼ିକରେ ଏହି ସିରପ୍‌ ମିଳିବା କଷ୍ଟକର । ଯଦି ଚୋରାରେ ରାଜ୍ୟମାନଙ୍କୁ ଯୋଗାଣ ହୋଇଥାଏ, ତାହାଲେ ତାହାର ମଧ୍ୟ ତଦନ୍ତ କରିବା ଉଚିତ୍‌ । ମାତ୍ର ପ୍ରାରମ୍ଭିକ ସୂଚନା ଅନୁସାରେ ରାଜ୍ୟରେ ଏହି କମ୍ପାନିର କଫ୍‌ ସିରପ୍‌ ଏବେ ବଜାରରେ ଉପଲବ୍ଧ ନାହିଁ । ପୂର୍ବରୁ ମଧ୍ୟ ଏହି କମ୍ପାନିର ସିରପ୍‌ ଯୋଗାଣ ନେଇ କୌଣସି ତଥ୍ୟ ମିଳୁନାହିଁ । ତେଣୁ ଅନୁସନ୍ଧାନ ପରେ ସବୁକିଛି ସ୍ପଷ୍ଟ ହୋଇପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଥାଉଯେ, ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍‌ସ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କଫ୍‌ ସିରପ ପିଇ ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ରୁ ଅଧିକ ଶିଶୁଙ୍କ ମୃତୁ୍ୟ ହୋଇଛି । ଏନେଇ ସାରା ବିଶ୍ୱରେ ଏବେ ହଇଚଇ ସୃଷ୍ଟି ହୋଇଛି । ଏହି ସିରପକୁ ପିଇବା ପରେ ଶିଶୁମାନଙ୍କ ବୃକକ୍‌ ଜନୀତ ସମସ୍ୟା ସୃଷ୍ଟି ହୋଇଥିଲା ଓ ପରେ ସେମାନଙ୍କର ମୃତୁ୍ୟ ହୋଇଥିଲା ।

ତେବେ ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍‌ସ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ୪ଟି କଫ ସିରଫ୍‌ ଭାରତରେ ବିକ୍ରି ହେଉ ନାହିଁ । ମେଡେନ କମ୍ପାନୀଙ୍କୁ କେବଳ ରପ୍ତାନୀ ପାଇଁ କଫ୍‌ ସିରପ ପ୍ରସ୍ତୁତ କରିବାକୁ ଅନୁମତି ରହିଥିଲା । ତେବେ କୌଣସି ଔଷଧ ଆମଦାନୀ କରିବା ଆଗରୁ ଏହାର ବିଧିବଦ୍ଧ ଯାଞ୍ଚ କରି ଔଷଧ ନେବା ସଂପୃକ୍ତ ରାଷ୍ଟ୍ରର ଦାୟିତ୍ୱ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । ଏହି ଘଟଣା ପରେ ସଂପୃକ୍ତ କଂପାନୀ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଆସିବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।

Comments are closed.