ଡାକୁଛି ଭାରତ ଭୂଇଁ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ଆଜି ତୁମ ଗୁଣ ସୁମରି ତୁମକୁ
ଡାକୁଛି ଭାରତ ଭୂଇଁ
ଏ ମାଟି ମଆର ସୁଯୋଗ୍ୟ ଦାୟାଦ
ତୁମ ସରି କିଏ କାହିଁ।
ସତ୍ୟ ଅହିଂସା ମନ୍ତ୍ରରେ ମନ୍ତ୍ରିତ
କରିଲ ଭାରତବାସୀ
ନିର୍ଭୀକ ପଣେ ନେତୃତ୍ୱ ନେଲ
ବାହୁଡି ଗଲେ ବିଦେଶୀ।
ସୁନାର ଭାରତ ଲୁଟିଣ ବିଦେଶୀ
ଧରିଲେ ଶାସନ ଦଣ୍ଡ
ଏ ମାଟିର ପୁଅ ପରାଧୀନ ଦୁଃଖେ
ଅକର୍ମ କଲେ ପାଷାଣ୍ଡ।
ନିଜ ସ୍ୱାର୍ଥ କେତେ ମଣିଲେ ପରମ
ମାଆ ମାଟି ସଙ୍ଗେ ଧୋକା
ସ୍ୱର୍ଣ୍ଣ ପ୍ରସବିନୀ ମାଆ ବୁକେ କ୍ରୁଶ
ବିକିଲେ ବିବେକ ଏକା।
ତୁମ ଡାକରାରେ ଭାରତବାସୀଏ
ଅହିଂସା ମନ୍ତ୍ରରେ ମାତି
ଆନ୍ଦୋଳନେ ଯୋଗ ସୌଭାଗ୍ୟ
ମଣିଲେ ଆପଣା ଜୀବନ ଝାସି।
ଇଂରେଜ ଶାସକ ଅନ୍ୟାୟ ଅଧର୍ମେ
ଗୋଳା ବାରୁଦର ବଳେ
ଭୟ ଭିଆଇଲେ ଅନେକ ପ୍ରାଣରେ
ମାରିଲେ କେତେ ଯେ ଛଳେ।
ସତ୍ୟ, ଶାନ୍ତି, ଅହିଂସା, ମୈତ୍ରୀ
କରୁଣାର ମନ୍ତ୍ର ଦାନେ
କୋଟିଏ ଭାରତ ଏକତାର ସୂତ୍ରେ
ବାନ୍ଧିଲ ଆପଣାପଣେ।
ଧର୍ମ କେବଳ ନୁହଁଇ ମାନିବା
ଆପଣା ଜାତିର କଥା
ଦେଶ ଜାତି ଟେକ ରଖିବା ଯେ ଆଗ
ଟେକିବା ଆପଣା ମଥା।
କୋଟିଏ କଣ୍ଠରେ ତୁମରି ଭାବନା
ପ୍ରତି ପ୍ରାଣେ ତୁମ ବାର୍ତ୍ତା
ନର ଦେହ ନୁହେଁ ମାଟିର ପ୍ରତିମା
ନାରାୟଣ ଯହିଁ କର୍ତ୍ତା।
ଧର୍ମର ଶଙ୍ଖ ବଜାଇ ଜଗାଅ
ଉଠିବେ ପ୍ରାଣ ଦେବତା
ଜାଗି ଉଠିଲେ ନର ନାରୀ ଯେତେ
ଲଭିଣ ଅମୃତ କଥା।
ଅ-ସହଯୋଗ ଆନ୍ଦୋଳନ ତୁମ
ମନୁ ଭୁଲି ନାହିଁ କେହି
ନପାରିଲେ ଜିତି ହିଂସାର ଯୁଦେ୍ଧ
ଫେରିଲେ ମଥା ନୁଆଁଇ।
ଜାତିର ଜନକ ତୁମେ ଶୁଣାଇଲ
ଅହିଂସା ଏକଇ ଶକ୍ତି
ହିଂସାର ବଳେ ପାରେ ନାହିଁ କେହି
ଆପଣା ଶତୃକୁ ଜିତି।
ତୁମ ବଳିଦାନ ଭୁଲିଲେଣି ଆଜି
ସ୍ୱାଧୀନ ଭାରତବାସୀ
ନିତି ପ୍ରତିଦିନ ମାଟି ବୁକେ ଭିଜେ
କେତେ ସନ୍ତାନ ଲହୁ ଏଠି।

Launching Ceremony of “AYUSHMAN BHARAT

Comments are closed.