ଭୁବନେଶ୍ୱର : ଡିସେମ୍ବର ୦୩: ଆସନ୍ତାକାଲି ପୁରୀ ସ୍ଥଳଭାଗକୁ ବାତ୍ୟା ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ଜୱାଦ ସ୍ଥଳଭାଗ ଛୁଇଁପାରେ । ତେବେ ଆସନ୍ତାକାଲି ସନ୍ଧ୍ୟାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ପୁରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ବାତ୍ୟା ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ।
ବାତ୍ୟା ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କି.ମି. ବେଗରେ ପବନ ପ୍ରବାହିତ ହେବ । ତେବେ ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବାତ୍ୟାର ଅଧିକ ପ୍ରଭାବ ଦେଖାଯିବ । ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳ ଓ କଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଛି । ଏହାଛଡ଼ା ଗଞ୍ଜାମ, ପୁରୀ, ଚିଲିକା ଓ ଏହାର ଆଖପାଖ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଥିବା ସୂଚନା ମିଳିଛି । ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନିକଟକୁ ନଯିବାକୁ କଡ଼ାକଡ଼ି ଆଦେଶ ଦିଆଯାଇଛି ।
ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ପୁରୀ ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି କରିସାରିଛନ୍ତି । ଜିଲ୍ଲାପାଳ ସୂଚନା ଅନୁସାରେ, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି । ସେହିପରି ନିରବିଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦୁ୍ୟତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ହୋଇରହିଛନ୍ତି ।

Comments are closed.