ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ I ରାଜ୍ୟରେ ଆଉ ଏକ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି I ଗତକାଲି ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଅଚାନକ ବର୍ଷା ହୋଇଥିବାବେଳେ, ଆଜିଠାରୁ କେତେକ ଜିଲ୍ଲାରେ ଲାଗାଁ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ଦୁଇ ଦିନ ଧରି ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେଥିପାଇଁ ଆଜି ରାଜ୍ୟର ୮ କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପୂର୍ବ ଆକଳନ ଅନୁଯାୟୀ ବୁଧବାର ଦିନ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏ ବ୍ୟାପିଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ୯ ତାରିଖରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ସେହିପରି ୧୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ରହିବ ବୋଲି ଆକଳନ କରାଯାଇଛି। ୮ ତାରିଖରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ଯେ ପୂର୍ବକେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ସହ ଜଡ଼ିତ ମେଘ ସମୂହ ଓଡିଶା ମୁହାଁ ହୋଇ ଗତି କରୁଛି । ତେଣୁ ଆସନ୍ତା ୫ ଦିନ ଯାଏ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ୯ ତାରିଖ ସକାଳ ସୁଦ୍ଧା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାବ୍ୟବତୀତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେପ୍ଟେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଧା, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

Comments are closed.