କଟକ : ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ I ନୂଆ ନୂଆ କୌଶଳ ଅବଲମ୍ବନ କରି ରାଜ୍ୟ ସମେତ ଦେଶରେ ବିଭିନ୍ନ ଅଂଚଳ ର ଲୋକ ମାନଙ୍କୁ ଚୂନ ଲଗାଉଥିଲେ ଏହି ସାଇବର ଠକ ଦଳ I ଓଡ଼ିଶାରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ କୁ ସଫଳତାର ସହ ଧରିଛି କ୍ରାଇମବ୍ରାଞ୍ଚ Iଶେଷରେ ମୟୂରଭଞ୍ଜ ରୁ ଧରାପଡ଼ିଛନ୍ତି ୬ ଜଣ ସାଇବର ଠକ I ଏହି ଠକ ଗ୍ୟାଙ୍ଗ ର ମାଷ୍ଟରମାଇଣ୍ଡ ଥିଲା ବିଶାଳ ଖଣ୍ଡେଲଓ୍ୱାଲ I ଏହି ରାକେଟ୍ KYC ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରି ଆସୁଥିଲେ।ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଆଇ ଜି ଅମିତେନ୍ଦ୍ର ନାଥ ସିହ୍ନା। ସେ କହିଛନ୍ତି, ମୟୁରଭଞ୍ଜ ଖୁଣ୍ଟା ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ପରିଚାଳିତ ହେଉଥିବା ଏହି ଗ୍ୟାଙ୍ଗର ସଦସ୍ୟମାନେ କେୱାଇସି ଅପଡେଟ କରିବା ଆଳରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ମେସେଜ ପଠାଇବାର ସହ ସେମାନଙ୍କୁ ଠକେଇ କରୁଥିଲେ। ଏହି ଗ୍ୟାଙ୍ଗର ମୋଟ ୬ ଜଣ ସାଇବର ଠକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ସେମାନଙ୍କୁ ଠାରୁ ୩ ହଜାର ପ୍ରିଆକ୍ଟିଭେଟେଡ୍ ସିମ ଜବତ କରାଯାଇଛି।
ଟେଲିକମ୍ ବିଭାଗର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଏକ ଟିମ୍ ଗଠନ କରି ଚଢ଼ାଉ କରିଥିଲା। ସିମ୍ ବକ୍ସ ଏବଂ ପୂର୍ବରୁ ଆକ୍ଟିଭ୍ ହୋଇଥିବା ସିମ୍ ଜରିଆରେ ସାଇବର ଠକେଇ ହେଉଥିବା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ବିହାର ଏବଂ ଓଡ଼ିଶା ରୁ ଏହି ରାକେଟ୍ ପରିଚାଳିତ ହେଉଥିଲା ବୋଲି ସୂଚନା ମିଳିଛି।
ଗିରଫ ଅଭିଯୁକ୍ତମାନେ ହେଲେ ବିଶାଲ ଖଣ୍ଡେଲଓ୍ବାଲ, ତାପସ ପାତ୍ର, ନିଗମ ପାତ୍ର, ସୁଧାଶୁଂ ଦାସ,ଅଜୁ ପାତ୍ର ଓ ଅଜୟ ପାତ୍ର। ସମସ୍ତ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ବେତନଟୀ ଅଞ୍ଚଳରେ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ବାଲ ଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ପାଖରେ ସାଇବର ସମ୍ପର୍କିତ ଗଭୀର ଜ୍ଞାନ ଥିଲା ଏବଂ ସେହି ଜ୍ଞାନକୁ ବ୍ୟବହାର କରି ଏହି ଗ୍ୟାଙ୍ଗ କେୱାଇସି ଅପଡେଟ କରିବା ଆଳରେ ଲୋକଙ୍କୁ ମେସେଜ କରୁଥିଲା ଏବଂ ଠକେଇ ମଧ୍ୟ କରୁଥିଲେ । ବଡ଼ କଥା ହେଉଛି ଏହି ସାଇବର ଠକମାନେ ମେସେଜ ପଠାଇବା ପାଇଁ ସିମ୍ ବକ୍ଟର ବ୍ୟବହାର କରୁଥିଲେ।
ଆସନ୍ତୁ ଜାଣିବା କଣ ଏହି ସିମ୍ ବକ୍ସ। ସିମ ବକ୍ସ ହେଉଛି ଶହଶହ ସିମକୁ ଆସେମ୍ଲ କରି ପ୍ରସ୍ତୁତ ହୋଇଥିବା ଏମିତି ଏକ ଡିଭାଇସ୍ ଯାହା ଜରିଆରେ ଅପେକ୍ଷାକୃତ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ମେସେଜ ପଠାଯାଇପାରିବ। ଏମାନଙ୍କ ପାଖରୁ ଦୁଇଟି ସିମ ବକ୍ସ ଜବତ ହୋଇଛି ଏବଂ ପ୍ରତି ସିମ୍ ବକ୍ସରେ ୫୧୨ଟି ଲେଖାଏଁ ସିମ ଖଞ୍ଜା ଯାଇଥିଲା। ଏହି ସିମ ବକ୍ସ ଏକ ଘଣ୍ଟାରେ ୫୫ ହଜାର ୬୦୦ଟି ମେସେଜରେ ପୁସ କରୁଥିଲା । ଏହି ଗ୍ୟାଙ୍ଗ ଦିନକୁ ସାଢେ ୬ ଲକ୍ଷ କରି ପାଖରେ ଥିବା ଦୁଇଟି ସିମ ବକ୍ସ ଜରିଆରେ ଦୈନିକ ପ୍ରାୟ ୧୩ ଲକ୍ଷ ମୋବାଇଲକୁ ଫେକ ମେସେଜ ପୁସ କରୁଥିଲେ ଏବଂ ଯେଉଁମାନେ ଏହି ଫେକ ମେସେଜର ଉତ୍ତର ଦେଉଥିଲେ, ସେମାନଙ୍କ ଠାରୁ ବିଭିନ୍ନ ସେବା ପ୍ରଦାନ କରିବା ଆଳରେ ଅର୍ଥ ଠକୁଥିଲେ ଏହି ଅଭିଯୁକ୍ତ ।
ବିଶାଲ ଖଣ୍ଡେଲଓ୍ବାଲ ପ୍ରଥମେ ଏହି ସିମ ବକ୍ସଟିକୁ କିଣିଥିଲା ଏବଂ ଏହାପରେ ମେସେଜ ପଠାଇବା ପାଇଁ ସେ ତାର ବନ୍ଧୁ ତାପସକୁ ନିୟୋଜିତ କରିଥିଲା । ଏହି ଗ୍ୟାଙ୍ଗର ଦୁଇ ପ୍ରମୁଖ ସଦସ୍ୟ ସୁଧାଶୁଂ ପାତ୍ର ଓ ନିଗମ ପାତ୍ର ପ୍ରି-ଆକ୍ଟିଭେଟ୍ ସିମ୍ ଯୋଗାଉଥିଲେ ଏବଂ କିଛି ମାସ ପରେ ତାପସ ଆଉ ଦୁଇ ଜଣ ଯୁବକ ଅଜୟ ପାତ୍ର ଓ ଅଜୁ ପାତ୍ରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲା।
କେୱାଇସି ଅପଡେଟ କରିବା ଆଳରେ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କ ପାଖକୁ ଆସୁଥିବା ସନ୍ଦିଗ୍ଧ ମେସେଜ ଆସୁଥିବା ଜାଣିବା ପରେ କେନ୍ଦ୍ରୀୟ ଟେଲିକମ୍ୟୁନିକେସନ ମନ୍ତ୍ରଣାଳୟ ଏହି ମାମଲା ତଦନ୍ତ କରିବା ପାଇଁ ଓଡ଼ିଶା କ୍ରାଇମବାଞ୍ଚକୁ ନିର୍ଦ୍ଦେଶ ଦେଇଥିଲା। ଏହି ମାମଲାର ତଦନ୍ତ ଆରମ୍ଭ କରିବାକୁ ଯାଇ କ୍ରାଇମବ୍ରାଞ୍ଚ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବେତନଟୀ ବାସିନ୍ଦା ବିଶାଲ ଖଣ୍ଡେଲଓ୍ବାଲ ପାଖରେ ପହଁଚିଥିଲା। ବିଶାଳକୁ ଜେରା କରିବା ପରେ ସେ କ୍ରାଇମବ୍ରାଞ୍ଚ ଆଗରେ ଅପରାଧର ପୁରା କଳାଚିଠା ଖୋଲି କରି ରଖିଥିଲା ।

Comments are closed.