କଟକରେ ୨୧୦ କଲେଜ ର କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦେଶ

0

କଟକ : କଟକ ଜିଲ୍ଲାର ୨୧୦ଟି ମହାବିଦ୍ୟାଳୟକୁ ନୋଟିସ । ICC ରିପୋର୍ଟ ନଦେଲେ ବନ୍ଦ ହେବ କଲେଜ କର୍ମଚାରୀଙ୍କ ଦରମା । ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ । କଟକ ଜିଲ୍ଲାର କଲେଜକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ତଥା ICC ରିପୋର୍ଟ ମଗାଯାଇଥିଲା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ସମସ୍ତ କଲେଜ ICC ରିପୋର୍ଟ ଦେବାକଥା । କିଛି କଲେଜ ଉକ୍ତ ନିର୍ଦ୍ଦେଶ ପାଳନ କରିଥିଲେ । କିନ୍ତୁ ପାଖାପାଖି ୨୧୦ଟି କଲେଜରୁ ନିର୍ଦ୍ଧିଷ୍ଟ ସମୟ ଭିତରେ ରିପୋର୍ଟ ମିଳିଲା ନାହିଁ । ତେଣୁ ସେଠାକାର କର୍ମଚାରୀ ମାନଙ୍କ ଦରମା ବନ୍ଦ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ICC ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆଗାମୀ ୨୪ ଘଣ୍ଟା ଭିତରେ ICC ରିପୋର୍ଟ ନମିଳେ ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ କଲେଜ ପ୍ରିନ୍ସିପାଲ ମାନଙ୍କୁ ସସ୍‌ପେଣ୍ଡ କରାଯିବ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଚେତାବନୀ ମଧ୍ୟ ଦେଇଛନ୍ତି ।

ସୂଚନାନୁସାରେ,ବାଲେଶ୍ବର ଏଫଏମ କଲେଜର ପୀଡିତା ଛାତ୍ରୀଙ୍କ ଜୀବନ ହାରିବା ପରେ କଲେଜ ଗୁଡିକରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କେତେ କାର୍ଯ୍ୟକ୍ଷମ ରହିଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଏଫଏମ କଲେଜର ପୀଡିତା ଛାତ୍ରୀ ICCରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତର ସହ ନିଆ ଯାଇନଥିଲା । ଯାହା ଫଳରେ ଘଟିଯାଇଛି ଏତେବଡ଼ ଅଘଟଣ । ତେଣୁ ରାଜ୍ୟର ବିଭିନ୍ନ କଲେଜରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କେତେ କାର୍ଯ୍ୟକ୍ଷମ ରହିଛି ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି ।

Leave A Reply

Your email address will not be published.