ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତରେ ସହଯୋଗ କରିବ କ୍ରାଇମ ବ୍ରାଞ୍ଚ

ରାୟଗଡା : ପର୍ଯ୍ୟଟନ ପାଇଁ ଆସିଥିବା ୨ ରୁଷୀୟ ପର୍ଯ୍ୟଟକଙ୍କ ରାୟଗଡାରେ ସନ୍ଦେହ ଜନକ ମୃତ୍ୟୁ I ୪ ଜଣ ଋଷ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ ଏବଂ ଦୁଇ ଜଣଙ୍କର ହଠାତ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ଏହି ୪ ଜଣ ଟୁରିଷ୍ଟ ଭିସାରେ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ଡିସେମ୍ବର ୨୧ ତାରିଖରେ ପହଞ୍ଚିଥିଲେ ରାୟଗଡ଼ାରେ। ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣ ବାଲ୍ୟ ବନ୍ଧୁ ଏବଂ ଅନ୍ୟ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଅଟନ୍ତି I ଏମାନେ ସମସ୍ତେ ସାଇ ଇଣ୍ଟରନେଶନାଲ ହୋଟଲର ୨୦୩ ଓ ୨୦୪ ନମ୍ବର ରୁମ ରେ ରହୁଥିଲେ I ତେବେ ରାତିରେ ଶୋଇ ଥିବା ସମୟରେ ପ୍ରଥମେ ଜଣଙ୍କର ମୃତ୍ୟୁ ହୋଇଥିଲା ଆଉ ଏହି ଘଟଣାକୁ ୪୮ ଘଣ୍ଟା ନପୂରୁଣୁ ଆଉ ଜଣଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି I ଏହି ଘଟଣାକୁ ନେଇ ରାୟଗଡ଼ା ସହିତ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

ସୂଚନାନୁସାରେ,ନିଜ ଜନ୍ମଦିନ ପାଳନ ପାଇଁ ୪ ଜଣ ରୁଷୀୟ ପର୍ଯ୍ୟଟକ, ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭ ଓ ପାୱେଲ ଆନ୍ଥେମ ଓଡିଶା ଆସିଥିଲେ ।ଏମାନେ ରାୟଗଡ଼ାରେ ରହି ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ। ଏଥିପାଇଁ ରାୟଗଡାରେ ଥିବା ସାଇ ଇଣ୍ଟରନେଶନାଲ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ ସେଙ୍କୋ ଓ ଟୁର୍ଭୋ। ଆଉ ଏକ ରୁମରେ ରହିଥିଲେ ଦୁଇ ବାଲ୍ୟବନ୍ଧୁ ଭ୍ଲାଦିମିର ଓ ପାୱେଲ। କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍। ବ୍ୟବଚ୍ଛେଦ ରିପୋର୍ଟରୁ ସେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଆଉ ଏହି ଘଟଣାକୁ ୪୮ଘଣ୍ଟା ନ ପୂରୁଣୁ ଅର୍ଥାତ ୨୪ ତାରିଖରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ପାୱେଲ ଆନ୍ଥେମ୍ I ନିର୍ମାଣଧିନ ଏକ କୋଠାରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ପାୱେଲଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ଏକ ଆତ୍ମହତ୍ୟା କୁହI ଯାଉଥିବାବେଳେ ଏହି ଘଟଣାରେ ତଦନ୍ତ ଜାରି ରଖିଛି ରାୟଗଡା ପୋଲିସ I ବର୍ତ୍ତମାନ ଏହି ଘଟଣାରେ ପୋଲିସକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ I

ପାୱେଲ ଆନ୍ଥେମ ହେଉଛନ୍ତି ରୁଷିଆର ଜଣେ ଧନୀ ସାଂସଦ । ସେ ନିଜର ୬୬ ତମ ଜନ୍ମ ଉତ୍ସବ ପାଳନ କରିବାକୁ ରାୟଗଡ଼ା ଆସିଥିଲେ I ସଂIସଦ ହେବା ସହିତ ପାୱେଲ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ତୀବ୍ର ସମାଲୋଚକ । ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୁଟିନଙ୍କୁ ସମାଲୋଚନା କରି ଏକ ବ୍ଲୋଗ ପୋଷ୍ଟ କରି ଚର୍ଚ୍ଚିତ ପାଲଟିଥିଲେ । କିଭ୍ ଉପରେ ହୋଇଥିବା ଆକ୍ରମଣକୁ ଏହା ରୁଷର ଆତଙ୍କ ବୋଲି କହି ସମାଲୋଚନା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଚାପରେ ଆସି ତାଙ୍କର ମତ ପ୍ରତ୍ୟାହାର କରିଥିଲେ। ଏପରିକି ଅନେକ ଗଣମାଧ୍ୟମ ସଂସ୍ଥାରେ ତାଙ୍କ କ୍ଷମା ପ୍ରାର୍ଥନା ବି ପ୍ରକାଶ ପାଇଥିଲା। ସେ ଦାବି କରିଥିଲେ ଯେ ତାଙ୍କ ପୋଷ୍ଟ୍‌ ଏକ ଭୁଲ୍‌ ବୁଝାମଣାର ଶୀକାର ହେବା ସହ ସେଥିରେ କିଛି ବୈଷୟିକ ତ୍ରୁଟି ରହିଛି। ସେ ଆହୁରି ବି କହିଥିଲେ ଯେ ସେ ପୁଟିନଙ୍କୁ ସର୍ବଦା ସମର୍ଥନ କରିଥାନ୍ତି।

ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ରୁଷୀୟ ଦୂତାବାସକୁ ଏ ସଂପର୍କରେ ଅବଗତ କରାଯାଇଛି I ଭ୍ଲାଦିମିରଙ୍କ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ପାୱେଲଙ୍କ ମୃତଦେହକୁ ସଂରକ୍ଷିତ କରି ରଖିଛି ରାୟଗଡ଼ା ପୁଲିସ।

ସେପଟେ ଅନ୍ୟ ଦୁଇ ରୁଷୀୟ ନାଗରିକଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖିଛି ପୋଲିସ । ଅଟକ ଦୁଇ ଜଣ ରୁଷୀୟ ନାଗରିକ ସ୍ୱାମୀ-ସ୍ତ୍ରୀ । ଏମାନଙ୍କ ପଛେ ପଛେ ପୋଲିସ ରହୁଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଉନାହିଁ । ହୋଟେଲ ପରିସର ବ୍ୟତୀତ ଅନ୍ୟ କେଉଁ ସ୍ଥାନକୁ ଯିବାକୁ ଦିଆଯାଉନାହିଁ । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି I

Comments are closed.