ବେଙ୍ଗାଲୁରୁ: ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ଯୁବ ଦମ୍ପତିଙ୍କ ମୃତଦେହ ବେଙ୍ଗାଲୁରୁର ଭଡ଼ା ଘରୁ ଉଦ୍ଧାର ହୋଇଛି। ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ଆର୍ଥିକ ସଙ୍କଟ ଓ ପାରିବାରିକ କାରଣ ନେଇ ଏହି ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଏହା ଆତ୍ମହତ୍ୟାର କାରଣ ହୋଇପାରେ ବୋଲି କୁହାଯାଇଛି। ଏହି ମୃତ ଦମ୍ପତି ହେଉଛନ୍ତି ରାକେଶ ପାତ୍ର (୨୫) ଓ ସୀମା ନାୟକ (୨୩)।
ରାକେଶ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ୍ ଦେଉଳଡ଼ିହା ଗ୍ରାମ ବାସିନ୍ଦା ବୋଲି ଜଣାପଡ଼ିଛି। ଉଭୟଙ୍କ ବିବାହ ୪ ବର୍ଷ ପୂର୍ବେ ହୋଇଥିଲା। ରାକେଶ ଗତ ୩ ମାସ ଧରି ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଏହି ଦମ୍ପତି ଦୁଇ ଦିନ ଧରି ଘର କବାଟ ନ ଖୋଲିବାରୁ ପଡ଼ୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ସୀମାଙ୍କ ମୃତଦେହ ଏକ ସିଲିଂ ଫ୍ୟାନ୍ରୁ ଝୁଲୁଥିବା ଅବସ୍ଥାରେ ମିଳିଥିବା ବେଳେ ନିକଟରେ ରାକେଶଙ୍କ ଶବ ପଡ଼ିଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଗତ ଶୁକ୍ରବାର ଦିନ ଏହି ଦମ୍ପତିଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା ଏବଂ ରାକେଶ ମଦ୍ୟପାନ କରିଥିଲେ। ସେହି ରାତିରେ ଶୋଇବା ପୂର୍ବରୁ ଦୁହେଁ ପ୍ରବଳ ଝଗଡ଼ା କରିଥିବା ପଡ଼ୋଶୀମାନେ ବୟାନ ଦେଇଛନ୍ତି। ଝଗଡ଼ାର କିଛି ସମୟ ପରେ ରାକେଶ ଏକ ଲୁଗା ସାହାଯ୍ୟରେ ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସନ୍ଦେହ କରାଯାଉଛି ଯେ ସୀମା ରାକେଶଙ୍କୁ ଫ୍ୟାନ୍ରେ ଝୁଲୁଥିବା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ଉକ୍ତ ଲୁଗା କାଟି ଦେଇଥିଲେ। ତେବେ ସେ ମରିଯାଇଥିବା ଜାଣିବା ପରେ ସେ ସେହି ଲୁଗା ବ୍ୟବହାର କରି ଫ୍ୟାନ୍ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
