ଭୁବନେଶ୍ୱର : ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା । କିଲର କନଷ୍ଟେବଳ ଦୀପକ ରାଉତ ପାଇଁ ବଢ଼ିଲା ଅଡୁଆ । ହତ୍ୟା ଘଟଣାକୁ କମିଶନରେଟ ପୋଲିସ ଜୋରଦାର କରିଥିବାବେଳେ ମାମଲା ସମ୍ବେଦନଶୀଳ ଥିବାରୁ ରେଡ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯାଇଛି। ଏହି ମାମଲାର କ୍ରାଇମବ୍ରାଞ୍ଚ ଉଚ୍ଚାଧିକାରୀ ନିରୀକ୍ଷଣ କରିବେ। ପ୍ରଥମ ସ୍ତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ମାମଲାର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରି ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
କ୍ୟାପିଟାଲ ଥାନା ପୁଲିସ, ଖୁଣ୍ଟୁଣି ଥାନା ପୁଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି। କାରଣ ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ୯ଟାରେ ଦୀପକ ଓ ତାଙ୍କ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଏକ କାରରେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବାବେଳେ ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଅପର୍ଣ୍ଣା କାରରୁ ଓହ୍ଲାଇଥିଲେ। ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକା ଦେଇଥିଲା ବୋଲି ଥାନାରେ ଅଭିଯୋଗ କରିଥିଲେ ଦୀପକ ।
ସେହିପରି ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେପ୍ଟେମ୍ବର ୬ ତାରିଖ ୨୦୨୫ରେ ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିଲା ଦୀପକ । ଏହାପରେ ପ୍ରମାଣ ନଷ୍ଟ ପାଇଁ ଦୀପକର ମାଉସୀ ପୁଅ ଭାଇ ସମେତ ଅନ୍ୟ ଜଣେ ତାକୁ ସହଯୋଗ କରିଥିଲେ । ଏହି ମାମଲାରେ ସ୍ବାମୀ ଦୀପକ ସମେତ ୩ଜଣଙ୍କୁ ଗିରଫ କରାଯାଇଛି । ଦୀପକ ସମେତ ଦୁଇ ସହଯୋଗୀ ଘଟଗାଁ ଥାନା କୁଶୁନପୁରର ବିନୋଦ ବିହାରୀ ଭୂୟାଁ ଓରଫ ପପୁ ଓ ଶମ୍ଭୁନାଥ ମହନ୍ତ ଓରଫ ଜଟଙ୍କୁ ଗୁରୁବାର ଜେଲ ପଠାଯାଇଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ।
ଅନ୍ୟପଟେ ଗତକାଲି ଦୀପକକୁ ଚଳିରୀରୁ ନିଲମ୍ୱିତ କରିଛନ୍ତି କମିଶନରେଟ ପୋଲିସ । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ପୁଲିସ ଆୟୁକ୍ତ ସୂଚନା ଦେଇଛନ୍ତି। ଶୁଭମିତ୍ରାଙ୍କୁ ସେ କମିସନରେଟ ପୁଲିସର ମୁଖ୍ୟାଳୟରେ ହିସାବରକ୍ଷକ ବିଭାଗରେ କାର୍ଯ୍ୟ କରୁଥିଲେ। ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗତକାଲି ଗିରଫ କରାଯାଇଥିଲା।
ଅନୁରୂପ ଭାବେ ଶୁଭମିତ୍ରାଙ୍କ ମୃତଦେହକୁ ଜବତ କରି ପରୀକ୍ଷା ନିମନ୍ତେ କେନ୍ଦୁଝର ମେଡ଼ିକାଲ କଲେଜକୁ ପଠାଯାଇଥିଲା। ଏଫ୍ଏମ୍ଟି ବିଭାଗର ଡାକ୍ତରଙ୍କ ଏକ ଦଳ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଶ୍ବାସରୁଦ୍ଧରୁ ଶୁଭମିତ୍ରାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ବେକରେ ଦାଗ ରହିଛି। ମେଡ଼ିକାଲ କଲେଜ ପକ୍ଷରୁ ଚୂଡ଼ାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି କମିସନରେଟ ପୁଲିସ। ଏହି ହତ୍ୟା ମାମଲାର ତଦନ୍ତ ଜାରି ରହିଥିବାବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ସେଦିଗରେ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

Comments are closed.