ଭୁବନେଶ୍ୱର : ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଏନେଇ ବିଧାନସଭା ସଚିବଙ୍କ ମାଧ୍ୟମରେ କଂଗ୍ରେସର ବିଧାୟକମାନେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଚିଠି ଦେଇଛନ୍ତି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ଏ ସମ୍ପର୍କରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କଂଗ୍ରେସର ନେତାମାନେ ଏ ନେଇ ବିଜେଡି ସହ ଆଲୋଚନା କରିନାହାନ୍ତି । ହେଲେ ଆମେ ଆମ ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ।
ସେପଟେ କଂଗ୍ରେସ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଆମେ ପୂର୍ବରୁ ବିଜେଡ଼ିକୁ କହିଥିଲୁ ଯଦି ସେମାନେ ଅନାସ୍ଥା ଆଣନ୍ତି ତେବେ ଆମେ ସମର୍ଥନ କରିବୁ । ଏବେ ଆମେ ଅନାସ୍ଥା ଆଣିଛୁ,ସେମାନେ ସମର୍ଥନ କରିବା ଆବଶ୍ୟକ । ଆମେ ବିଜେଡିର ସହଯୋଗ ଲୋଡୁଛୁ । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । ତେବେ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି ।
ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ଅନାସ୍ଥାକୁ ସମର୍ଥନ ଦେବା ପାଇଁ କଂଗ୍ରେସ ନେତା ତାରା ବାହିନୀପତି ଏବଂ ରାମଚନ୍ଦ୍ର କାଡାମ ବିଜେଡି ପ୍ରକୋଷ୍ଠକୁ ଯାଇ ବରିଷ୍ଠ ନେତା ପ୍ରତାପ ଦେବ ଏବଂ ସାରଦା ଜେନାଙ୍କୁ ଭେଠିଛନ୍ତି । ତେବେ ସେଠାରେ କଣ ଆଲୋଚାନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଅପରାହ୍ନ ୫ ଟାରେ ବିଜେଡିର ବୈଠକ ଅଛି ସେଠାରେ ଏନେଇ ନିଷ୍ପତି ହେବ ବୋଲି ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି ।
ଅନ୍ୟପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ,ଅନାସ୍ଥା ପ୍ରସ୍ତାବକୁ ନେଇ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସିଲଭର ମେଡାଲ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଟଣାଓଟରା ଚାଲିଛି । ସଂଖ୍ୟା ନଥାଇ ଅନାସ୍ଥା ଆଣିବା, କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଏକ ପବ୍ଲିସିଟି ଷ୍ଟଣ୍ଟ ।

Comments are closed.