କେନ୍ଦ୍ରାପଡା : ନିଆଁରେ ପୋଡି ଯାଇ ମୃତ୍ୟୁ ବରଣ କଲେ ପୁଣି ଜଣେ କଲେଜ ଛାତ୍ରୀ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ଘଟିଛି ଏହି ଅଘଟଣ । ସେ ଘର ନିକଟସ୍ଥ ଏକ କଲେଜରେ +୩ର ଶେଷ ବର୍ଷର ଛାତ୍ରୀ ଥିଲେ। ଆଜି ଅପରାହ୍ନରେ ଘର ଭିତରେ ନିଜ ଦେହରେ କିରୋସିନି ଢାଳି ପୋଡି ହୋଇଥିବା ସୂଚନା ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଘଟଣାର ସତ୍ୟାସତ୍ୟ ଜଣାପଡି ନାହିଁ । ତେବେ କିଛି ଦିନ ହେବ ଛାତ୍ରୀଙ୍କୁ ଜଣେ ଯୁବକ ବ୍ଲାକମେଲ କରୁଥିବା ନେଇ ତାଙ୍କ ବାପା ସୂଚନା ଦେଇଛନ୍ତି । ଏନେଇ ସେ ୬ ମାସ ପୂର୍ବରୁ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ଓଲଟା ପୁଅର ମୋବାଇଲ୍ ନମ୍ବର ବ୍ଲକ୍ କରିଦେବାକୁ ପରାମର୍ଶ ଦେଇଥିଲେ । ଫଳରେ ଝିଅ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ବାପା ।
ସେପଟେ ପଡ଼ୋଶୀ ମଧ୍ୟ ଝିଅଟିକୁ ଦିନ ପ୍ରାୟ ୯ଟା ବେଳେ ଝିଅକୁ ଘର ବାହାରେ ଦେଖିଥିଲେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଝିଅ ଆତ୍ମହତ୍ୟା କରିଛି ନାଁ ତାକୁ ହତ୍ୟା କରାଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚିବା ପରେ ପ୍ରକୃତ ଘଟଣା ଉପରୁ ପରଦା ହଟିବ ।
ସେପଟେ ଘଟଣା ଘଟିବାର ୨ ଘଣ୍ଟା ପରେ ଜଣେ ପୋଲିସ କନେଷ୍ଟବଳ ଏକ ବାଇକ ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଡିଜି ୱାବି ଖୁରାନିଆ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଘଟଣା ସ୍ଥଳରେ ପହଁଚିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଘଟଣାକୁ ଦୀର୍ଘ ସମୟ ବିତି ଯାଇଥିବାବେଳେ ସ୍ଥାନୀୟ ପୋଲିସର ଦେଖା ନ ଥିଲା । ଏସପି ରାସ୍ତାରେ ଅଛନ୍ତି ବୋଲି କହିଥିଲେ । ଘଟଣାସ୍ଥଳରେ ସମସ୍ତ ଗଣମାଧ୍ୟମ ପହଁଚି ଭିଡ଼ିଓ ଏବଂ ଫଟୋ ଉତ୍ତୋଳନ କରି ସାରିଥିବାବେଳେ ପୋଲିସ କିନ୍ତୁ ପହଁଚି ପାରି ନଥିଲା । ତେବେ ଦୀର୍ଘ ସମୟ ପରେ ପଟ୍ଟାମୁଣ୍ଡାଇ ଥାନାର ଆଇଆଇସି ପଲେଇ ବାବୁ ସେଠାରେ ପହଞ୍ଚି ଗଣମାଧ୍ୟମକୁ ମୁହଁ ଲୁଚାଇ ସମସ୍ତ ପ୍ରଶ୍ନକୁ ଏଡାଇ ଯିବାର ଦେଖାଯାଇଥିଲା । ତେବେ ଗଣମାଧ୍ୟମ ଘେରି ଯାଇ ତାଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କରିବାରୁ ସେ ଖାମଖିଆଲି ଉତ୍ତର ଦେଇ କହିଥିଲେ ସେ କେବେ ଅଭିଯୋଗ ଦେଇଥିଲେ ଜାଣିନି । ମୁଁ ମିଡିଆରେ ବାଇଟ୍ ଦେବି ନାହିଁ । କେବେ ଅଭିଯୋଗ ଦେଇଥିଲେ କଣ ଦେଇଥିଲେ ମୁଁ ସେ ବିଷୟରେ କିଛି ଜାଣିନି । ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ହେବ ବୋଲି ପୋଲିସ କହିଥିବା ସମ୍ପର୍କୀୟ କହିଛନ୍ତି ।
ଏହିଘଟଣାରେ କେନ୍ଦ୍ରାପଡା ଗ୍ରାମାଞ୍ଚଳ ଏସପି ସିଦ୍ଧାର୍ଥ କଟାରିଆଙ୍କ ସୂଚନା ମିଳିଛି । କହିଲେ ମୁଁ ନିଜେ କରିବି ତଦନ୍ତ । ତାଙ୍କ ବାପା ମାଆଙ୍କ ସହ କଥା ହୋଇଛି । ସାଇଣ୍ଟିଫିକ୍ ଟିମ୍ ଆସୁଛନ୍ତି , ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ହେବ ତଦନ୍ତ ।