ବାଲେଶ୍ୱର : ଅନଲାଇନ ଗେମ ହେଲା କାଳ। ଅନଲାଇନ ଖେଳ ନିଶାରେ ବାୟା ହେଉଛନ୍ତି ଛାତ୍ରଛାତ୍ରୀ । ପରିବାର ଲୋକେ ବାରଣ କଲେ ଜୀବନ ହାରିବାକୁ ବି ପଛାଉ ନାହାନ୍ତି । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗ୍ରାମରେ । ଅନଲାଇନ ଖେଳିବାକୁ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ମୃତ ଛାତ୍ର ହେଉଛନ୍ତି ଗ୍ରାମର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ଣ ଜେନା । ସେ ସବୁ ସମୟରେ ଅନଲାଇନ ଗେମ ଖେଳିବା ଓ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଥିଲେ। ଏନେଇ ପରିବାର ଲୋକେ ବାରମ୍ବାର ବିରୋଧ କରି ଆସୁଥିଲେ। ମଙ୍ଗଳବାର ସକାଳେ ସେ ପାଠ ନପଢି ଗେମ ଖେଳୁଥିବାରୁ ମାଆ ବିରକ୍ତି ହୋଇଥିଲେ। ଏଥିରେ ସେ ରାଗିଯାଇ ଗାଧୁଆଘର ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ବହୁ ସମୟ ଧରି ବାଥରୁମରୁ ନବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.