ଭୁବନେଶ୍ୱର: ଏଣିକି ଦ୍ୱାଦଶ ବା ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ପିଲାଙ୍କୁ ଅଲଗା ଟ୍ୟୁସନ୍ ହୋଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଏଆଇ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରିବେ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭାଗ ପକ୍ଷରୁ ଏଆଇ ଟେକ୍ନୋଲୋଜିର ଆରମ୍ଭ କରାଯାଇଛି । ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ଶୁଭାରମ୍ଭ କରିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବ ସାଇଟରେ ଏଆଇ ଟେକ୍ନୋଲୋଜି ଦ୍ୱାରା ପିଲାମାନେ ପାଠ ପଢ଼ିବେ । କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ମୋଟ 14ଟି ବିଷୟରେ ପ୍ରଶ୍ନ ଉପଲବ୍ଧ ହେବ । ଏଆଇ ପିଲାଙ୍କ ମାନଙ୍କୁ ପ୍ରଶ୍ନ ଦେବ ଏବଂ ପିଲାମାନେ ଅଭ୍ୟାସ କରିବେ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଫଳରେ ପିଲାମାନେ ପରୀକ୍ଷା ସମୟରେ ଭଲ ଭାବରେ ପ୍ରସ୍ତୁତି କରିପାରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହା ସହିତ ମନ୍ତ୍ରୀ କହିଛନ୍ତି ଏଆଇ ଟେକ୍ନୋଲୋଜିରେ ଶିକ୍ଷା ଗ୍ରହଣ ଯୋଗୁଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଗୁଣାବତ୍ତା ଆହୁରି ବୃଦ୍ଧି ପାଇବ । ବିଶେଷ କରି ଆର୍ଥିକ ଅନଗ୍ରସର ବର୍ଗର ପିଲାମାନେ ଅଧିକ ଲାଭବାନ ହେବେ । ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ।

Comments are closed.