କୋରାପୁଟ : ଲଗାଣ ବର୍ଷାରେ ବେହାଲ୍ କୋରାପୁଟ । ଗତ ୨ ଦିନ ଧରି ଜିଲ୍ଲାର କୁନ୍ଦୁରା ଓ ବୈପାରିଗୁଡ଼ାରେ ସ୍ଥିତି ଅସମ୍ଭାଳ ହୋଇଛି । ପ୍ରବଳ ବର୍ଷା ଫଳରେ ଚିତ୍ରକୋଣ୍ଡା ବ୍ଲକ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗୋଟିଏ ଦିନରେ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ୨୦୦ ମିମି଼ ଅଧିକ ବର୍ଷା ହୋଇଛି। ଚିତ୍ରକୋଣ୍ଡାରୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ସେହିପରି ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ପାହାଡରୁ ମାଟି ଅତଡ଼ା ଖସି ପଡ଼ିବାରୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି।
ସେହିପରି କୁନ୍ଦୁରାର ବିରି ନଦୀ ଉପରେ ଲହଡ଼ି ଭାଙ୍ଗୁଛି ୫ ଫୁଟର ବର୍ଷା ଜଳ । ଆକସ୍ମିକ ପାଣି ଆସିବା ଫଳରେ ବ୍ରିଜ ଦେଇ ଯାତାୟତ କରୁଥିବା ଲୋକେ ଫସି ରହିଥିଲେ । ବ୍ରିଜର ଦୁଇ ପାର୍ଶ୍ୱରେ ଶହ ଶହ ଲୋକେ ଅଟକି ରହିଥିଲେ । ବ୍ରିଜ ଉପରେ ପାଣି ଚାଲିବା ଫଳରେ କୁନ୍ଦୁରା ଓ ଜୟପୁରର ପ୍ରାୟ ୧୦ଟି ଗାଁର ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ସେହିଭଳି ୫୦୦ ଏକରରୁ ଅଧିକ ଜମି ଜଳମଗ୍ନ ହୋଇ ରହିଛି । ଅନେକ ଲୋକଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି । ଗତ ଦୁଇ ଦିନ ଧରିନାକମାମୁଡ଼ି ଡାଇକ – ୩ ମୁଖ୍ୟ ରାସ୍ତାର ନାକମାମୁଡି ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବା କାରଣରୁ ସେହି ରାସ୍ତାରେ ମଧ୍ୟ ଯୋଗା ଯୋଗ ବନ୍ଦ ରହିଛି। ବ୍ରିଜ ଉପରେ ପାଞ୍ଚ ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ବ୍ରିଜର ଗୋଟିଏ ପାର୍ଶ୍ଵ ଭାଙ୍ଗି ଯାଇଛି। ପ୍ରବଳ ପାଣି ଆସିବା ଫଳରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି। ଗତ କାଲି ରାତିରେ ପ୍ରବଳ ବର୍ଷା କାରଣରୁ ଚିତ୍ରକୋଣ୍ଡା ସଦର ମହକୁମାର ଲୋକଙ୍କ ଘରେ ବର୍ଷା ପାଣି ପଡ଼ିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚିତ୍ରକୋଣ୍ଡା ବ୍ଲକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ରହିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ରାସ୍ତାରୁ ଅବରୋଧ ହଟାଇବାକୁ ଚିତ୍ରକୋଣ୍ଡା ଅଞ୍ଚଳବାସୀ ଦାବୀ କରିଛନ୍ତି।

Comments are closed.