ଆଜି ପଦ୍ମପୁର ପ୍ରଚାରରେ ଯିବେ ମୁଖ୍ୟମନ୍ତ୍ରୀ

ପଦ୍ମପୁର : ଉପ ନିର୍ବାଚନ ପାଇଁ ଏବେ କମ୍ପୁଛି ପଦ୍ମପୁର I ଜୋର ଧରିଛି ନିର୍ବାଚନ ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଚାର ମୈଦାନରେ ପହଁଚୁଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂହବରିହାଙ୍କ ପାଇଁ କରିବେ ପ୍ରଚାର I ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ଏହା ସହ ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ୩ଟି ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ପୂର୍ବରୁ ବହୁ ଉପନିର୍ବାଚନରେ ନବୀନ ଆଭାସି ଜରିଆରେ ପ୍ରଚାର କରିଥିବାବେଳେ ପଦ୍ମପୁରରେ ସିଧାସଳଖ ପ୍ରଚାରକୁ ନେଇ କର୍ମୀଙ୍କ ମହଲରେ ଉତ୍ସାହ ଦ୍ବିଗୁଣିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୩ ସଭାସ୍ଥଳ ପାଇଁ ସ୍ୱତନ୍ତ୍ର ଭାବେ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯାଇଛି । ସେହିକ୍ରମରେ ଝାରବନ୍ଧ ଶକ୍ତି ଖେଳପଡ଼ିଆ, ପାଇକମାଳ ପଡ଼ିଆ ଓ ପଦ୍ମପୁର ଷ୍ଟାଡ଼ିୟମରେ ବିଜେଡି ସଭା ଆୟୋଜନ କରାଯାଇଛି । ନିର୍ବାଚନ ପ୍ରଚାର ସରିବା ପରେ ଅପରାହ୍ନ ସାଢ଼େ ୪ଟାରେ ସତୀଭଟା ଏୟାରଷ୍ଟ୍ରିପ୍‌ରୁ ବାହାରି ୫ଟା ୨୦ ମିନିଟ୍‌ରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି ।

ଆସନ୍ତା ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥିନେଇ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ସହ ଅନ୍ୟ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି । ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଧୁଆଁଧାର ପ୍ରଚାର ଆରମ୍ଭ ହୋଇଯାଇଛି । ସବୁ ଦଳର ହେଭିୱେଟ ପଦ୍ମପୁରରେ ଡେରା ପକାଇ ଜନ ସମର୍ଥନକୁ ନିଜ ସପକ୍ଷକୁ ନେବା ପାଇଁ ସମସ୍ତ କଳବଳ ଖଟାଇ ଦେଇଛନ୍ତି ।

ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପଦ୍ମପୁରରେ ରହି ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷୁଛନ୍ତି I ଏହାକୁ ମାତ ଦେବା ପାଇଁ ବିଜେଡି ସୁପ୍ରିମୋ ପ୍ରଚାର ମୈଦାନ କୁ ଏଣ୍ଟ୍ରି କରିଛନ୍ତି I

Govt

Comments are closed.