ଛତିଶଗଡ଼ର ନୂଆ ଚାଲ୍‌: ତେଲ, ଉଦନ୍ତି ନଦୀରେ କରିବ ବ୍ୟାରେଜ୍‌

ପ୍ରଭାବିତ ହେବ ନୂଆପଡ଼ା ଓ କଳାହାଣ୍ଡି

ଭବାନୀପାଟଣା: ଓଡ଼ିଶା ଉପରେ ଛତିଶଗଡ଼ ସରକାର ଦାଉ ସାଧିବାରେ ଲାଗିଛି । ବର୍ତ୍ତମାନ ଛତିଶଗଡ଼ ପକ୍ଷରୁ ଉଭୟ ତେଲ ଓ ଉଦନ୍ତି ନଦୀରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଓଡ଼ିଶାର ଚିନ୍ତା ବଢ଼ାଇଛି । ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ପାଣି ଓ ବିଜୁଳି ପାଇଁ ଛତିଶଗଡ଼ ବଞ୍ଚିତ ହେଉଥିବା ଯୋଗୁ ଏବେ ପ୍ରତିଶୋଧ ନେବା ପାଇଁ ନୂଆ କୌଶଳ ଆରମ୍ଭ କରିବା ଘଟଣା ଓଡ଼ିଶା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଛତିଶଗଡ଼ର ଗରିଆବନ୍ଧ ଅନ୍ତର୍ଗତ ପେଣ୍ଡରା ଠାରୁ ଉଦନ୍ତି ନଦୀ ବାହାରିଛି । ସେଠାରୁ ଆସି ଓଡ଼ିଶାର ନୂଆପଡ଼ା ଜିଲ୍ଲା ଦେଇ କଳାହାଣ୍ଡିର ତୁରକେଲ ନିକଟ ବୁଢ଼ୀପଦର ନିକଟରେ ତେଲ ନଦୀ ସହିତ ମିଶିଛି ।

ବର୍ତ୍ତମାନ ଛତିଶଗଡ଼ ସରକାର ସୀତାନଦୀ ନିକଟସ୍ଥ ବ୍ୟାଘ୍ର ଅଭୟାରଣ୍ୟଠାରେ ଉଦନ୍ତି ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏଥିନିମନ୍ତେ ଗତ ଦୁଇ ବର୍ଷ ତଳୁ ବ୍ୟୟ ବରାଦ ମଧ୍ୟ ହୋଇଛି । ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କଲେ ଓଡ଼ିଶାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବିଶେଷଭାବରେ ପ୍ରଭାବିତ ହେବ । ତେଲ ନଦୀର ଜଳ ମଧ୍ୟ ହ ୍ରାସ ପାଇବ । ଉଦନ୍ତି ଅବବାହିକା ଅଞ୍ଚଳରେ ମଧ୍ୟ ମରୁଭୂମି ସୃଷ୍ଟି ହେବ । ଉଭୟ ଚାଷ ଓ ପାନୀୟ ଜଳ ଉପରେ ନିର୍ଭର କରୁଥିବା ଲୋକେ ପାଣି ପାଇଁ ନାକେଦମ ହେବେ । ସେହିଭଳି, ତେଲ ନଦୀ ଓଡ଼ିଶାର ଉମରକୋଟ ତହସିଲ ଅନ୍ତର୍ଗତ ଏଣ୍ଡୁରିଗୁଡ଼ାରୁ ବାହାରି ଛତିଶଗଡ଼ ଦେଇ ପୁନର୍ବାର ଓଡ଼ିଶା ଆସି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଦେଇ ସୋନପୁର ଜିଲ୍ଲାର ମନମୁଣ୍ଡାଠାରେ ମହାନଦୀଠାରେ ମିଶିଛି । ଛତିଶଗଡ଼ ସରକାର ତେଲ ନଦୀ ଉପରେ ଓଡ଼ିଶାର ଚନ୍ଦାହାଣ୍ଡି ସୀମାନ୍ତ ଖପରାଡିହି ନିକଟରେ ବ୍ୟାରେଜ ନିର୍ମାଣ କରୁଛି । ଏଥିନିମନ୍ତେ ଛତିଶଗଡ଼ ପକ୍ଷରୁ ପ୍ରାୟ ୧୮କୋଟି ଟଙ୍କା ମଧ୍ୟ ମଞ୍ଜୁର ମଧ୍ୟ ହୋଇଛି । ଏହାଦ୍ୱାରା ଦେଭୋଗ ଅଞ୍ଚଳରେ ପ୍ରାୟ ୩ ହଜାର ହେକଫର ଜମି ଜଳସେଚିତ ହେବା ଲକ୍ଷ୍ୟ ରଖାଯାଇଛି । ତେଲ ନଦୀରେ ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶାବାସୀ ପର୍ଯ୍ୟାପ୍ତ ପାଣି ପାଇବାରୁ ବଞ୍ଚିତ ହେବେ । ତେଲ ନଦୀରେ କେବଳ ହାତୀ ନଦୀ ବ୍ୟାରେଜ ପାଣି ଉପରେ ନିର୍ଭର କରିବ । ତେଲ ନଦୀ ଓ ଉଦନ୍ତୀ ନଦୀରେ ଛତିଶଗଡ଼ ବ୍ୟାରେଜ ଯୋଗୁଁ କଳାହାଣ୍ଡି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ଢେଙ୍କାନାଳ, ଅନୁଗୁଳ, ବୋଦ୍ଧ ଓ କଟକ ଜିଲ୍ଲା ପ୍ରଭାବିତ ହେବ । ମହାନଦୀର ମୁଖ୍ୟ ଫିଡର ଭାବରେ ତେଲ ନଦୀ ଥିବାବେଳେ ତେଲ ନଦୀର ଜଳ ସଙ୍କଟ ଓଡ଼ିଶାବାସୀଙ୍କୁ ଅଡୁଆ ସୃଷ୍ଟି କରିବ । ଛତିଶଗଡ଼ ପକ୍ଷରୁ ଉଦନ୍ତୀ ଓ ତେଲ ନଦୀ ଉପରେ ବ୍ୟାରେଜ ନିର୍ମାଣ କରି ପ୍ରତିଶୋଧ ନେବା ପାଇଁ ସୁପରିକଳ୍ପିତ ଷଡ଼ଯନ୍ତ୍ର ଆରମ୍ଭ ହୋଇଛ ।

ଓଡ଼ିଶାର ଅପର ଇନ୍ଦ୍ରାବତୀ ପ୍ରକଳ୍ପରୁ ବାମ କେନାଲ ମାଧ୍ୟମରେ ତେଲ ନଦୀ ଉପରେ ଏକ୍ୱାଡେଟ କରି ନଦୀ ଆରପଟେ ଥିବା ଓଡ଼ିଶାର ସନ୍ଧିକୁଲିହାରୀ ଦେଇ ପୁନର୍ବାର ଗୋଲାମୁଣ୍ଡା ବ୍ଲକକୁ ଜଳସେଚିତ କରାଯାଉଛି । ସନ୍ଧିକୁଲିହାରୀ ଠାରୁ ମାତ୍ର ୫୦ ମିଟର ଦୂରରେ ଛତିଶଗଡ଼ ସୀମା ରହିଛି । ଛତିଶଗଡ଼ର ଅନୁରୋଧ କ୍ରମେ ଦେଭୋଗ ଅଞ୍ଚଳକୁ ଜଳସେଚନ ନିମନ୍ତେ ପାଣି ଦିଆଯାଇ ନଥିଲା । ଅନ୍ୟପକ୍ଷରେ ମୁଖିଗୁଡା ପାୱାର ପ୍ରୋଜେକଫ ପକ୍ଷରୁ ପଶ୍ଚିମବଙ୍ଗର ହଳଦିଆ, ମହାରାଷ୍ଟ୍ର ପ୍ରମୁଖ ଅଞ୍ଚଳକୁ ବିଜୁଳି ଦିଆଯାଉଛି ଅଥଚ ଛତିଶଗଡ଼କୁ ବିଜୁଳି ଦିଆଯାଉନାହିଁ । ଏହାର ପ୍ରତିଶୋଧ ନେବାପାଇଁ ଛତିଶଗଡ଼ ଏବେ ନୂଆ କୌଶଳ ଆରମ୍ଭ କରିଛି । ମହାନଦୀ ଉପରେ ୫ଟି ବ୍ୟାରେଜ ର୍ନିର୍ମାଣ ପରେ ଏବେ ଷଷ୍ଠ ବ୍ୟାରେଜ ର୍ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛି । ସେହିପରି, ମହାନଦୀ ପରେ ଉଦନ୍ତୀ ଓ ତେଲ ନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ ର୍ନିର୍ମାଣ କରି ଓଡ଼ିଶାକୁ ମରୁଭୂମିରେ ପରିଣତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହାଦ୍ୱାରା ଉଭୟ ଜଳସେଚନ ଓ ପାନୀୟ ଜଳ ବିଶେଷ ଭାବରେ ପ୍ରଭାବିତ ହେବ । ସେହିଭଳି ଉଠା ଜଳସେଚନ ମାଧ୍ୟମରେ ହେଉଥିବା ଚାଷ ମଧ୍ୟ ବହୁଳ ଭାବରେ ପ୍ରଭାବିତ ହେବ । ଓଡ଼ିଶାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଭୂତଳ ଜଳ ଫ୍ଲୋରାଇଡ ଥିବା ଯୋଗୁଁ ଉଦନ୍ତୀ ଓ ତେଲ ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମମାନଙ୍କରେ ନଦୀରୁ ପାଇପ ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଚାଲିଛ । ଛତିଶଗଡ଼ ଯୋଗୁଁ ଆଗକୁ ଏମାନେ ମଧ୍ୟ ପାନୀୟ ଜଳ ପାଇଁ ବ୍ୟାପକ ସଙ୍କଟର ସମ୍ମୁଖୀନ ହେବେ । ତୁରନ୍ତ ଓଡ଼ିଶା ସରକାର ଛତିଶଗଡ଼ ସରକାର ଉପରେ ଚାପ ପ୍ରୟୋଗ କରି ଉଦନ୍ତୀ ଓ ତେଲ ନଦୀ ବ୍ୟାରେଜ ର୍ନିର୍ମାଣରୁ ନିବୃତ ନକଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

Comments are closed.