ତହସିଲରୁ ବିଳମ୍ବରେ ମିଳୁଛି ପ୍ରମାଣପତ୍ର, ସମସ୍ୟାରେ ଛାତ୍ରଛାତ୍ରୀ

ଜମନକିରା : ନୂତନ ଶିକ୍ଷାବର୍ଷ ୨୦୨୨-୨୩ରେ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଆବଶ୍ୟକ ପଡ଼ିଥାଏ ଜାତିଗତ, ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର । ଉକ୍ତ ପ୍ରମାଣପତ୍ର ଗୁଡ଼ିକ ତହସିଲ, ରାଜସ୍ୱ ନିରୀକ୍ଷକ ଏବଂ ସହଯୋଗ କେନ୍ଦ୍ରରୁ ମିଳିଥାଏ । ମାତ୍ର ତହସିଲ କାର୍ଯ୍ୟାଳୟରୁ ଉକ୍ତ ପ୍ରମାଣପତ୍ର ଗୁଡ଼ିକ ମାସ ମାସ ଧରି ମିଳି ପାରୁନଥିବା ଯୋଗୁଁ ଛାତ୍ରୀ ଛାତ୍ର ତଥା ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, ଜମନକିରା ତହସିଲ କାର୍ଯ୍ୟାଳୟ ୮ ଟି ରାଜସ୍ୱ ନିରୀକ୍ଷକ କେନ୍ଦ୍ର ଏବଂ ୨୧ ଟି ପଞ୍ଚାୟତକୁ ନେଇ ଗଠିତ । ଏହା ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଲକ୍ଷାଧିକ ଛାତ୍ରୀଛାତ୍ର ବିଭିନ୍ନ ପ୍ରମାଣପତ୍ର ପାଇଁ ର୍ନିଭରଶୀଳ । ଚଳିତ ଶିକ୍ଷା ବର୍ଷରେ ନାମ ଲେଖା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଜାତି, ଆୟ ଓ ବାସିନ୍ଦା ଆଦି ପ୍ରମାଣପତ୍ର ଆବଶ୍ୟକ ପଡିଥାଏ ।

ପ୍ରମାଣପତ୍ର ଗୁଡ଼ିକ ତହସିଲ, ରାଜସ୍ୱ ନିରୀକ୍ଷକ ଏବଂ ସହଯୋଗ କେନ୍ଦ୍ରରୁ ମିଳିଥାଏ । ଗ୍ରାମାଞ୍ଚଳ ତଥା ଗରିବ ସାଧାରଣ ଲୋକଙ୍କ ପାଇଁ ସହଯୋଗ କେନ୍ଦ୍ର ହେଉଛି ପ୍ରଥମ ପସନ୍ଦ । ସହଯୋଗ କେନ୍ଦ୍ରରୁ ସହଜରେ ପ୍ରମାଣପତ୍ର ପାଇବା ପାଇଁ ଲୋକେ ବହୁ ସଂଖ୍ୟାରେ ଅନଲାଇନ ମାଧ୍ୟମରେ ଆବେଦନ କରିଥାନ୍ତି । ମାତ୍ର ତହସିଲ କାର୍ଯ୍ୟାଳୟ ଦାୟିିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ମାସ ମାସ ଧରି ପ୍ରମାଣପତ୍ର ମିଳି ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ପ୍ରମାଣପତ୍ର ଗୁଡିକ ସଠିକ ସମୟ ସୀମା ମଧ୍ୟରେ ମିଳି ପାରୁନଥିବା ଯୋଗୁଁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ନାହିନଥିବା ଅସୁବିଧାରେ ପଡ଼ିଛନ୍ତି । ଚଳିତ ଶିକ୍ଷା ବର୍ଷ ପାଇଁ ସ୍କୁଲ୍‌, କଲେଜ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଦାଖଲ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଜାତିଗତ, ବାସିନ୍ଦା, ଏବଂ ଇନକମ ପ୍ରମାଣପତ୍ର ପାଇଁ ମାସଟିଏ ଆଘରୁ ଆବେଦନ କରିଥିବା ସତ୍ତେ୍ୱ ଏ ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ବକେୟା ରହିଛି । ଫଲରେ ସ୍କୁଲ୍‌, କଲେଜ ମାନଙ୍କରେ ନୂତନ ଭାବରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ ସନ୍ଧିହାନ ହୋଇ ପଡିଛନ୍ତି । ଅନଲାଇନ ସେଣ୍ଟରରୁ ଗୋଟାଏ ପ୍ରମାଣପତ୍ର ଆବେଦନ କଲାପରେ ରସିଦରେ ଏକ ମାସର ଅବଧି ଥାଏ, ଯାହା ତହସିଲ କାର୍ଯ୍ୟଳୟରୁ ଅନଲାଇନ ଯୋଗେ ମିଳିଥାଏ । ମାତ୍ର ତହସିଲ କାର୍ଯ୍ୟାଳୟରେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ତାହା ଠିକରେ ମିଳି ପାରୁନାହିଁ ।

ତହସିଲ କାର୍ଯ୍ୟଳୟର କର୍ମକର୍ତ୍ତା ତାଙ୍କ ନିକଟକୁ ଅନଲାଇନ ମାଧ୍ୟମରେ ଯାଇଥିବା ପ୍ରମାଣପତ୍ରକୁ ଠିକ ସମୟ ମଧ୍ୟରେ ତଦାରଖ କରୁନାହାନ୍ତି । ତଦାରଖ କରି ଯଦି ଅନଲାଇନ ଆବେଦନରେ ତ୍ରୁଟି ଅଛି ହେଲେ ତାକୁ ଏକ ମାସ ମଧ୍ୟରେ ସୁଧାରିବା କଥା ଅଥବା ତାକୁ ଖାରଜ କରିବା କଥା କି;ୁ ତାହା ମଧ୍ୟ ଏଠି କରାଯାଉ ନାହିଁ । ଏ ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଗତ ମଙ୍ଗଳବାର ତହସିଲ କାର୍ଯ୍ୟାଳୟକୁ ଯାଇ ୬ ଗୋଟି ରସିଦ ଦେଖେଇ ସମସ୍ୟା ବିଷୟରେ ପଚାରିଥିଲେ । ସେହିଦିନ ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଗୋପୀନାଥ ଖାକାଙ୍କୁ ପଚରା ଯାଉଥିଲା । ସେ ନେଟୱର୍କ ଅସୁବିଧା ପାଇଁ ଏମିତି ହଉଛି ବୋଲି ମତ ରଖିଥିଲେ । ହେଲେ ଏଠି ପ୍ରଶ୍ନ ଉଠୁଛି ମାସ ମାସ ଧରି କ’ଣ ନେଟୱର୍କ ଅସୁବିଧା ରହୁଛି ହେଲେ ସମସ୍ତ କାର୍ଯ୍ୟ କିପରି ଚଳୁଛି । ଅଧିକାରୀ ଓ କର୍ମଚାରୀ ମାନେ ବିଭିନ୍ନ ଆଳ ଦେଖାଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଜଣାଯାଇଛି ।

ଏହାର ସଦ୍ୟ ଉଦାହରଣ ହେଉଛି, ଗଣମାଧ୍ୟମ ପ୍ରତିନିଧି ମାନେ ସେଠୁ ଚାଲିଆସିବା ପରେ ଯେଉଁ ପ୍ରମାଣପତ୍ର ଗୁଡିକ ପାଇଁ ସମୟ ୧ ମାସରୁ ଅଧିକ ଲାଗିଥିଲା, ସେଇ ପ୍ରମାଣପତ୍ର ମଧ୍ୟରୁ ୩ ଟି ପ୍ରମାଣପତ୍ର ଦିନଟିଏ ମଧ୍ୟରେ ବାହାରିଥିବା ଦେଖିବାକୁ ମିଳିଥିଲା । ସେହିପର ଜମନକିରା ବ୍ଳକ ସମସ୍ତ ଅଞ୍ଚଳରୁ ଏହିପରି ଅସୁବିଧା ଆସୁଥିବା ଦେଖିବାକୁ ମିଳିଛି । ବ୍ଲକର ଅନେକ ଗୁଡ଼ିଏ ଅନଲାଇନ ସେଣ୍ଟର୍‌ ମାନଙ୍କରେ ଏମିତି ଅସୁବିଧା ଦେଖିବାକୁ ମିଳୁଛି । ତହସିଲ କାର୍ଯ୍ୟାଳୟର ଖାମଖିଆଲି ମନୋଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ରହିବ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି । ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କ ପ୍ରମାଣ ପତ୍ର ଛଡା ଯାଉ ବୋଲି ଦାବି ହେଉଛି ।

Govt

Comments are closed.