କୋଣାର୍କ : କୁହୁଡି ସାଜିଲା କାଳ । ପାଣିପାଗ ବିଭାଗ ପକ୍ଷରୁ ବାରମ୍ବାର ସତର୍କ ସୂଚନା ସତ୍ତ୍ୱେ ବଢି ଚାଲିଛି କୁହୁଡି ଜନିତ ଦୁର୍ଘଟଣା I ୪ ଜଣ ଯାତ୍ରୀଙ୍କୁ ନେଇ ଖୋର୍ଦ୍ଧାରୁ କୋଣାର୍କ ଯାଉଥିବାବେଳେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡି ଥିଲା । ଫଳରେ ଏଥିରେ ନିଆଁ ଲାଗିଯିବାରୁ ୪ ଜଣ ଯାକ ଯାତ୍ରୀ ପୋଡିହୋଇ ଗୁରୁତର ହୋଇଛନ୍ତି ।
ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗରୁତର ହେବାରୁ ପରେ ସମସ୍ତଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାନୁସାରେ,ଆଜି ସକାଳେ ଖୋର୍ଦ୍ଧା ମୁକ୍ତାପୁର ଅଞ୍ଚଳର ୪ ଜଣ ସାଙ୍ଗ କୋଣାର୍କ ବୁଲି ଯାଉଥିଲେ । ଏହି ସମୟରେ ଲୋଟସ ଛକ ନିକଟରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିଲା । କାରକୁ ହାଇୱା ଧକ୍କା ଦେବାରୁ ଗାଡିଟି ରାସ୍ତା ତଳକୁ ଖସିପଡିଥିଲା ।
ସେହିପରି କୁହୁଡି ଯୋଗୁ କଟକ ତେଲେଙ୍ଗାପେଣ୍ଠ ନିକଟ ଜାତୀୟ ରାଜପଥ ୧୬ ଉପରେ ଏକ ଓମଫେଡ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଚାଳକ ଓ ହେଲପର ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଡ଼ିଟି ବାରଙ୍ଗ ନରାଜରୁ କ୍ଷୀର ନେଇ ନଖରା ଅଭିମୁଖେ ଯାଉଥିବା ବେଳେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଗାଡ଼ିର ସମ୍ମୁଖ ଭାଗ କାଟି ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।
ରାଜ୍ୟରେ ବଢୁଥିବା ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । ଏଥି ପାଇଁ ଜୀବନ ଯାତ୍ରା ପ୍ରଭାବିତ ମଧ୍ୟ ହେଉଛି । ଦୃଶ୍ୟମାନ ଦୂରତା ମଧ୍ୟ ହ୍ରସ ପାଇଛି । ଲୋକମାନେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ରାଜଧାନୀର ରାଜରାସ୍ତାରେ ଲୋକମାନେ ଗାଡ଼ିରେ ଯିବା ସମୟରେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଛନ୍ତି । ଦୃଶ୍ୟମାନ ଦୂରତା ପ୍ରାୟ ୫୦ରୁ ୩୦ ମିଟର ତଳକୁ ଖସି ଆସିଛି । ଯାହା ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସହିତ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୪ରୁ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ଅନେକ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବ ବୋଲି ମଧ୍ୟ ସୂଚନା ମିଳିଛି ।

Comments are closed.