ମୁମ୍ବାଇ: ବର୍ଷ ୨୦୨୧ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଣ୍ଟି ଔର୍ ବବଲୀ-୨’ର ଟିଜର ରିଲିଜ ହୋଇଛି । ୧ ମିନିଟ ୨୬ ସେକେଣ୍ଡର ମଜାଳିଆ ଟିଜରକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଏହାସହ ଫିଲ୍ମରେ ବଣ୍ଟି ଏବଂ ବବଲୀ ଅର୍ଥାତ୍ ସୈଫ୍ ଅଲ୍ଲୀ ଖାନ ଏବଂ ରାନୀ ମୁଖାର୍ଜୀଙ୍କ ଫାଷ୍ଟ୍ ଲୁକ୍କୁ ମଧ୍ୟ ରିଲିଜ୍ କରାଯାଇଛି । ଏଥିରେ ଉଭୟ ଅଲଗା ଲୁକ୍ରେ ନଜର ଆସୁଥିବା ଦେଖିବାକୁ ମିଳିଛି । ଫଟୋରେ ସୈଫ୍ ନିଜ ହାତରେ ଗ୍ୟାସ ସିଲିଣ୍ଡର ଉଠାଇଛନ୍ତି ଏବଂ ରାନୀ ପେଟର ମାପ ନେଉଛନ୍ତି । ୟଶରାଜ ଫିଲ୍ମର ଏହି ଫଟୋ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ବଣ୍ଟି ଚରିତ୍ର ପାଇଁ ସୈଫ୍ ଓଜନ ବଢ଼ାଇଛନ୍ତି । ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ ଏବଂ ରାନୀ ମୁଖାର୍ଜୀଙ୍କ ବ୍ୟତୀତ ନୂଆ ଚେହେରା ଭାବେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶାର୍ବରୀ ନଜର ଆସିବେ । ଉଭୟ ଏହି ଫିଲ୍ମ ଜରିଆରେ ବଲିଉଡ୍ରେ ଡେବୁ୍ୟ କରିବାକୁ ଯାଉଛନ୍ତି ।

ସେପଟେ ଏହି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ ଏବଂ ରାନୀ ମୁଖାର୍ଜୀଙ୍କ ୧୨ ବର୍ଷ ପରେ ସିଲଭର୍ ସ୍କ୍ରିନରେ ଏକତ୍ର ନଜର ଆସିବେ । ପୂର୍ବରୁ ‘ତାରା ରମ୍ ପମ୍’ ଏବଂ ‘ହମ୍ ତୁମ୍’ ଫିଲ୍ମରେ ଉଭୟ ଏକାଠି କାମ କରିଛନ୍ତି । ବଲିଉଡ୍ର ଅନ୍ୟତମ ହିଟ୍ ଯୋଡ଼ି ଭାବେ ଆଜି ବି ଦର୍ଶକମାନେ ବେଶ୍ ପସନ୍ଦ କରିଆସୁଛନ୍ତି ।
ଫିଲ୍ମରେ ରାନୀ ଫୁରସତଗଞ୍ଜର ଫ୍ୟାଶନ ଡିଜାଇନର ହୋଇଥିବା ବେଳେ ସୈଫ୍ ଅଲ୍ଲୀ ଜଣେ ରେଲେୱ ଟିସି ଚରିତ୍ରରେ ନଜର ଆସିବେ । ଫିଲ୍ମଟି ନଭେମ୍ବର ୧୯ରେ ସିନେ ପରଦାରେ ମୁକ୍ତିଲାଭ କରିବ । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିର୍ଦ୍ଦେଶକ ବରୁଣ ବି ଶର୍ମା । ‘ସୁଲତାନ’ ଏବଂ ‘ଟାଇଗର ଜିନ୍ଦା ହୈ’ ଫିଲ୍ମରେ ସେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ୨୦୦୫ରେ ‘ବଣ୍ଟି ଔର୍ ବବଲୀ’ ଫିଲ୍ମ ମୁକ୍ତିଲାଭ କରିଥିଲା । ଏଥିରେ ଅଭିଷେକ ବଚ୍ଚନ, ରାନୀ ମୁଖାର୍ଜୀ ଏବଂ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ଅମିତାଭ ବଚ୍ଚନ ଜଣେ ପୋଲିସ ଅଧିକାରୀ ଭୂମିକା ନିର୍ବାହ କରିଥିବା ବେଳେ ରାନୀ ଏବଂ ଅଭିଷେକ ଚୋର ଚରିତ୍ରରେ ନଜର ଆସିଥିଲେ । ସେତେବେଳେ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା ।

Comments are closed.