ଶ୍ରୀନଗର: ଜମ୍ମୁକଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଥିଲେ । ତେବେ ଏନକାଉଣ୍ଟର ସ୍ଥାନ ନିକଟରେ ଏକ ପୁରୁଣା ମସଜିଦ ଥିଲା, ଯାହାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ସେନା ଏପରି ପଦକ୍ଷେପ ନେଇଛି, ଯାହାକୁ ନେଇ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟିଛି ।

ସୂଚନାନୁସାରେ, ବାରମୂଳା ଜିଲ୍ଲାର କ୍ରୀରି ଅଞ୍ଚଳ ଅନ୍ତର୍ଗତ ୱାନିଗାମ୍ ବାଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ଆସିଥିଲା । ଏହାପରେ ସେନାର ରାଷ୍ଟ୍ରିୟ ରାଇଫଲ୍ସ, ଜମ୍ମୁକଶ୍ମୀର ପୁଲିସ ଏବଂ ସିଆରପିଏଫ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଯବାନମାନଙ୍କୁ ପାଖକୁ ଆସୁଥିବା ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ଜବାବ ଦେବାକୁ ଯାଇ ସୁରକ୍ଷାବାହିନୀ ଗୁଳି ଚଳାଇଥିଲେ ଏଥିରେ ଜଣେ ଆତଙ୍କବାଦୀଙ୍କ ନିହତ ହୋଇଥିବାବେଳେ ଅନ୍ୟ ଆତଙ୍କବାଦୀର ସନ୍ଧାନ ଜାରି ରହିଛି ।

ତେବେ ଏହି ସମୟରେ ସ୍ଥାନୀୟ ମସଜିଦର ସୁରକ୍ଷାକୁ ଦୃଷ୍ଟିରେ ରଖି ସେନା ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ ଯେ କମ ଗୁଳି-ବାରୂଦ ବ୍ୟବହାର କରାଯିବ ଯାହା ଦ୍ୱାରା ମସଜିଦର କୌଣସି କ୍ଷତି ହେବ ନାହିଁ । ଏହାପରେ ସେନା ପକ୍ଷରୁ ବୁଲେଟପ୍ରୁଫ୍ ଯାନଗୁଡିକ ମସଜିଦ ସାମ୍ନାରେ ରଖାଯାଇଥିଲା । ଯାହାଦ୍ୱାରା କୌଣସି ଗୁଳି କିମ୍ବା ଗ୍ରେନେଡ୍ ସିଧାସଳଖ ମସଜିଦରେ ମାଡ ହୋଇପାରିବ ନାହିଁ ଗୁଳିଗୁଡ଼ିକ ପ୍ରଥମେ ବୁଲେଟପ୍ରୁଫ ଗାଡିକୁ ହିଁ ଯେଭଳି ମାଡ ହେବ ସେହି ବ୍ୟବସ୍ଥା କରାଯାଇଥିଲା ଆଉ ଏହା ଦ୍ୱାରା ଆତଙ୍କବାଦୀ ଚଳାଇଥିବା ଗୁଳି ମସଜିଦକୁ ଛୁଇଁପାରିନଥିଲା । ସେନାର ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

Comments are closed.