ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ତାରିଖ । ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପରେ, ଭାରତୀୟ ଜନତା ପାର୍ଟି(ବିଜେପି)ମଧ୍ୟ ଶୁକ୍ରବାର ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଯାହାକୁ ବିଜେପି ‘ସଂକଳ୍ପ ପତ୍ର’ ନାମ ଦେଇଛି। ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ତ୍ଵ ଦେଇଛି ବିଜେପି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ସଂକଳ୍ପ ପତ୍ର ବିକଶିତ ଦିଲ୍ଲୀର ମୂଳଦୁଆ ସ୍ଥାପନ କରିବ। ମହିଳା ସମୃଦ୍ଧି ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ । ଏଲପିଜି ସିଲିଣ୍ଡର ଉପରେ ଦିଆଯିବ ୫୦୦ ଟଙ୍କା ସବସିଡି । ଗର୍ଭବତୀ ମହିଳାଙ୍କୁ ୨୧୦୦୦ ଟଙ୍କା ଏବଂ ନ୍ୟୁଟ୍ରିସନାଲ୍ ପ୍ୟାକ୍ ମିଳିବ । ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି । ହୋଲି ଓ ଦୀପାବଳିରେ ଗୋଟିଏ ଲେଖାଏ ସିଲିଣ୍ଡର ମାଗଣାରେ ପ୍ରଦାନ କରାଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଆୟୁଷ୍ମାନ ଭାରତ ଯୋଜନାକୁ ଦିଲ୍ଲୀରେ ବି ଲାଗୁ କରାଯିବ । ଅଟଳ କ୍ୟାଣ୍ଟିନ୍ ଯୋଜନା ଲଞ୍ଚ୍ ହେବ ଏବଂ ବରିଷ୍ଠ ନାଗରିକମାନଙ୍କୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ରାଶି ଦିଆଯିବ । ଦଳ ୨୦୧୪ରେ ୫୦୦ ପ୍ରତିଶ୍ରୁତି ଦେଇଥିଲା, ଯେଉଁଥିରୁ ୪୯୯ ପ୍ରତିଶ୍ରୁତି ପୂରଣ ହୋଇଛି ।

ସେ କହିଛନ୍ତି, ଆମର ପ୍ରତିଶ୍ରୁତି ପାଳନ କରିବାର ରେକର୍ଡ ସର୍ବୋତ୍ତମ । ଆମର ରେକର୍ଡ ୯୯.୯ ପ୍ରତିଶତ । ଏହା ବିକଶିତ ଦିଲ୍ଲୀର ମୂଳଦୁଆର ସଂକଳ୍ପ । ଦିଲ୍ଲୀର ସମସ୍ତ ଯୋଜନା ଜାରି ରହିବ । ଆମେ ବସ୍ତି ବାସିନ୍ଦାଙ୍କୁ ମୁଖ୍ୟ ସ୍ରୋତକୁ ଆଣିବୁ । ଆଜି ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରୁ ବାହାରି ଆସିଛନ୍ତି । ଦିଲ୍ଲୀରେ ଯେଉଁ ଜନକଲ୍ୟାଣକାରୀ ଯୋଜନା ଚାଲିଛି, ତାହା ବିଜେପି ସରକାର ଆସିବା ପରେ ମଧ୍ୟ ଜାରି ରହିବ । ଆମେ ମହାରାଷ୍ଟ୍ରରେ ମହିଳାମାନଙ୍କୁ ସହାୟତା ରାଶି ଦେଉଛୁ । ହରିୟାଣାରେ ମହିଳାମାନଙ୍କୁ ୨୧୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛୁ ।

Govt

Comments are closed.