ଭୁବନେଶ୍ୱର : ଭୁବନେଶ୍ୱର: ଆଜି ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି । ସରକାରଙ୍କ ବିଫଳତା ବିରୋଧରେ ଜନସଚେତନତା ସୃଷ୍ଟି କରିବ । ହେଲେ ପାର୍ବଣ ଥିବାରୁ ଆଜି ପଦଯାତ୍ରା କରିବନି ବିଜେଡି । ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ । ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ମାସେ ଧରି ଚାଲିବ । ପଦଯାତ୍ରା ଜରିଆରେ ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ ସହିତ ଗତ ୧୫ ମାସର ବିଜେପି ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବ ବିଜୁ ଜନତା ଦଳ ।ବିଜେପି ସରକାରକୁ ଆସିବା ପରେ ସବୁ କଥାରେ ଗତ ସରକାରକୁ ଦାୟୀ କରି ଆସୁଥିଲା । ହେଲେ ଏହି ୧୫ ମାସ ଭିତରେ ମାଳମାଳ ଅଭିଯୋଗରେ ଛନ୍ଦି ହୋଇ ଯାଇଛନ୍ତି ସରକାର । ଯେଉଁଥିପାଇଁ ସକ୍ରିୟ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିଛି ବିଜେଡି । ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ମହିଳାମାନେ ନିଜକୁ ଅସୁରକ୍ଷିତ ମନୁଛନ୍ତି ।ଘର ଘର ବୁଲି ଏ ସବୁ ପ୍ରସଙ୍ଗକୁ ନେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କୁ ପଦଯାତ୍ରା ମାଧ୍ୟମରେ ଘେରିବ । ସେପଟେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନରେ ଓଡ଼ିଶା ଯେଉଁ ବିକାଶର ଶୀର୍ଷରେ ପହଞ୍ଚିଥିଲା, ତାକୁ ବିଜେପି ସରକାରଙ୍କ ବିଫଳତା ସହ ତୁଳନା କରି ଲୋକଙ୍କୁ ପଦଯାତ୍ରାରେ ସଚେତନ କରିବ ବିଜେଡି ।
