କାନପୁର ହିଂସାକଣ୍ଡ ଏକ ଷଡ଼ଯନ୍ତ୍ର କହିଲା ବିଶ୍ୱ ହିନ୍ଦୁ ପରିଷଦ୍‌

ହରିଦ୍ୱାର: ଜୁନ ୧୩: କାନପୁରରେ ହିଂସାକାଣ୍ଡକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର କହି ଉଦେ୍ୱଗ ପ୍ରକାଶ କରିଛି ବିଶ୍ୱ ହିନ୍ଦୁ ପରିଷଦ୍‌ । ହରିଦ୍ୱାରରେ ବୈଠକ ଶେଷ ହେବା ପରେ ବିଶ୍ୱ ହିନ୍ଦୁ ପରିଷଦ୍‌ର ସାଧାରଣ ସଚିବ ମିଲିନ୍ଦ୍‌ ପରାନ୍ଦେ କହିଛନ୍ତି, ହିଂସା ମୁକାବିଲା କରିବା ଲାଗି ସରକାର, ପୁଲିସ ଏବଂ ସମାଜ ସମ୍ପୂର୍ଣ୍ଣ ସମର୍ଥ । ହିଂସା ବିପକ୍ଷରେ ଅସନ୍ତୋଷ ବ୍ୟକ୍ତ କରି ସାଧୁସନ୍ଥମାନେ ଏହାକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଥିବା କଥା ପରାନ୍ଦେ କହିଛନ୍ତି । ଟେଲିଭିଜନ୍‌ ସୋ ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ସମ୍ବନ୍ଧରେ ନିଲମ୍ବିତା ବିଜେପି ନେତ୍ରୀ ନୂପୁର ଶର୍ମା ଦେଇଥିବା ଅସମ୍ମାନଜନକ ମନ୍ତବ୍ୟ ଉପରେ ଜୁନ୍‌ ୩ ତାରିଖ ଦିନ ଶୁକ୍ରବାର ନମାଜ ପରେ ସଂଖ୍ୟାଲଘୁମାନେ ପ୍ରତିକ୍ରିୟା ପ୍ରକାଶ କରିବାରୁ କାନପୁରରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ପରାନ୍ଦେ ଆହୁରି ମଧ୍ୟ କହିଛନ୍ତି, ପରିଷଦର ଦୁଇଦିନିଆ ବୈଠକରେ ୪ଟି ପ୍ରସ୍ତାବନା ଗୃହୀତ ହୋଇଛି । ସେଥିରୁ ଗୋଟିଏ ଦାବି ହେଲା ଦେଶରେ ଥିବା ମଠ ଓ ମନ୍ଦିରଗୁଡ଼ିକୁ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବା । ଏହାଛଡ଼ା, ଧର୍ମାନ୍ତରିକରଣ ରୋକିବା ଲାଗି କଠୋର ଆଇନ ବ୍ୟବସ୍ଥା ଏବଂ ୟୁନିଫର୍ମ ସିଭିଲ୍‌ କୋଡ୍‌ ପ୍ରଚଳନ ପାଇଁ ମଧ୍ୟ ଏହି ବୈଠକରେ ଦାବି ଗୃହୀତ ହୋଇଛି । ବୈଠକକୁ ଆସିଥିବା ଅଂଶଗ୍ରହଣକାରୀମାନେ ଧର୍ମାନ୍ତରିକରଣ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିବା ସହ ତାହାକୁ ରୋକିବା ଲାଗି କଠୋର ଆଇନ ପ୍ରଣୟନ କରିବା ଲାଗି ଦାବି କରିଛନ୍ତି ବୋଲି ବିଶ୍ୱ ହିନ୍ଦୁ ପରିଷଦ୍‌ ନେତା କହିଛନ୍ତି । ବାରାଣସୀର ଜ୍ଞାନବାପି ମସଜିଦ୍‌ ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି ।

Govt

Comments are closed.