ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ଦେଲେ ଜନତା

ସୋନପୁର : ପାଖେଇ ଆସିଲାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ସରଗରମ ହେଲାଣି ଗାଁ ରାଜନୀତି । ବିଜୟୀ ହେବା ପାଇଁ ଭିନ୍ନ ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ । ଭୋଟ୍‌ ଜିଣିବାକୁ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ସେହିପରି ଆଉ କିଛି ପ୍ରାର୍ଥୀ ଭୋଟ୍‌ ପାଇଁ ମଦ ମାଂସ ବାଣ୍ଟୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବୁଠିପଦର ଗାଁରେ ଭୋଟ୍‌ ପାଇଁ ନେତା ଜନତାଙ୍କୁ ନୁହେଁ ବରଂ ବିଜୟୀ ହେବାକୁ ଜନତା ନେତାଙ୍କୁ କରୁଛନ୍ତି ଆର୍ଥିକ ସହାୟତା ।

ବୀରମହାରାଜପୁର ବ୍ଲକ ୨ ନମ୍ବର ଜୋଜ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ରାଜଗୋପାଲ ପାଣିଗ୍ରାହୀ । ରାଜଗୋପାଲ ଭୋଟ୍‌ ପ୍ରଚାର ପାଇଁ ବୁଠି ପଦର ଗାଁରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀଙ୍କୁ ଭୋଟ୍‌ ଭିକ୍ଷା ମଧ୍ୟ କରିଥିଲେ । ଏହି ସମୟରେ ଗ୍ରାମବାସୀ ଗାଁର ମନ୍ଦିର ଉନ୍ନତିକରଣ ପାଇଁ ତାଙ୍କୁ କହିଥିଲେ । ଏହାର ରାଜଗୋପାଲ କହିଥିଲେ ଯେ, ଏବେ ମୋ ପାଖରେ ଟଙ୍କା ନାହିଁ । ମୋତେ ଭୋଟ୍‌ ଦିଅ;ୁ ମୁଁ ଆପଣଙ୍କ କାମ କରିଦେବି ।

ଏହାପରେ ଗ୍ରାମବାସୀମାନେ ଗାଁ ଦାଣ୍ଡରେ ଏକ ଗାମୁଛା ପକାଇ ନିଜ ନିଜ ସାମର୍ଥ୍ୟ ମୁତାବକ ଆର୍ଥିକ ସହାୟତା ଦେଇଥିଲେ । ଏବେ ନିର୍ବାଚନ ସମୟରେ ନେତା ଜନତାଙ୍କୁ ଟଙ୍କା ବାଣ୍ଟୁଥିବା ଶୁଣିବାକୁ ମିଳୁଥିବା ବେଳେ ସୋନପୁରରୁ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି ।

Launching Ceremony of “AYUSHMAN BHARAT

Comments are closed.