ଭୁବନେଶ୍ୱର: ଡିସେମ୍ବର ୦୯: ଗତକାଲି ତାମିଲନାଡୁର ନୀଳଗିରି ଜିଲ୍ଲାରେ ଥିବା କୁନୁରରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା । ଏଥିରେ ଦେଶ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ବାୟୁସେନା ଅଧିକାରୀ ରହିଥିବା ସୂଚନା ମିଳିଛି । ସେ ହେଲେ ରାଣାପ୍ରତାପ ଦାସ ।
ସେ ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । ସେ ଦୀର୍ଘ ୧୨ ବର୍ଷ ଧରି ଦେଶ ସେବା କରିଆସୁଥିଲେ । ଅନୁଗୁଳ ଜିଲ୍ଲାର ତାଳଚେର ସ୍ଥିତ କୁଣ୍ଡାଲା ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ତାଙ୍କର ଘର । ତାଙ୍କ ପିତାଙ୍କ ନାମ ଶ୍ରୀବତ୍ସ ଦାସ ।
ବୁଧବାର ମଧ୍ୟାହ୍ନରେ ଏହି ଦୁଃଖଦ ଖବର ପ୍ରସାରିତ ହେବାପରେ ସାରା ଦେଶ ସ୍ତବ୍ଧ ହୋଇପଡ଼ିଥିଲା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ତିନି ସେନା ପକ୍ଷରୁ ଶୋକ ପ୍ରକାଶ କରାଯାଇଥିଲା । ବାୟୁସେନାର ସବୁଠାରୁ ଦକ୍ଷ ଓ ସୁରକ୍ଷିତ ଭାବେ ପରିଚିତ ‘ଏମ୍ଆଇ୧୭-ଭି୫’ ହେଲିକପ୍ଟର ମୋଟ୍ ୧୪ ଜଣଙ୍କୁ ନେଇ ଗତକାଲି ଦିନ ୧୧ଟା ୪୫ ମିନିଟରେ କୋଏମ୍ବାଟୁରର ସୁଲୁର୍ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା । ଏହା ସାଢ଼େ ୧୨ଟାରେ େୱଲିଂଟନ ପ୍ରତିରକ୍ଷା ପ୍ରତିଷ୍ଠାନରେ ଅବତରଣ କରିବାର ଥିଲା । ମାତ୍ର ଅବତରଣ କରିବାର ୧୦ ମିନିଟ ପୂର୍ବରୁ ଉଟି ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସ୍ଥାନୀୟ ଲୋକେ ଦେଖି ନିକଟବର୍ତୀ ପୋଲିସ ଥାନା ଏବଂ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ । ଏହିପରିକି ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ କରିବାକୁ ଉଦ୍ୟମ କରିଥିଲେ । ହେଲେ ଦୁର୍ଘଟଣାସ୍ଥଳରେ ଭୟଙ୍କର ନିଆଁ ଜଳୁଥିବାରୁ ଏହା ସମ୍ଭବ ହୋଇପାରିନଥିଲା । ଦମକଳ ବାହିନୀ ଓ ସୁରକ୍ଷା କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ସହିତ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ଏହି କାର୍ଯ୍ୟରେ ସେନାଙ୍କୁ ଜନସାଧାରଣଙ୍କ ମଧ୍ୟ ସହଯୋଗ କରିଥିଲେ । ମୃତ ଦେହଗୁଡ଼ିକୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା । ଡିଏନ୍ଏ ଟେଷ୍ଟରୁ ମୃତକଙ୍କ ପରିଚୟ ମିଳିଥିଲା ।

Comments are closed.