ବିକ୍ଷିପ୍ତ ସପନ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

କଥା ଦେଇଥିଲ ସାଜି ଯେ ଶାସକ
ଆମ ଭିଟାମାଟି ଆଗ ନେଇଯିବ
ଆମରି ସପନ ତୁମରି କାମନା
କାରଖାନା ଏକ ଛିଡ଼ା ହୋଇଯିବ।
ଉଜୁଡ଼ି ଗଲା ମୋ ସପନ ସାଆନ୍ତେ
ନାହିଁ ଭିଟାମାଟି ଚାଳିଆ ବି ଖଣ୍ଡେ
ଟେକି ଦେଇ ହାତ ମାଗିଲ ଭୋଅଟ
ସବୁ ଦେଇ ହେଲି ମୁହିଁ କାଙ୍ଗାଳଟେ।
ଆମ କାରଖାନା ହୋଇଗଲେ ଛିଡ଼ା
ଚାକିରୀଟେ ମୋତେ ମିଳିଯିବ ପରା
ଚାକିରୀ ପାଇବି କରୁଛି ଲଢ଼େଇ
ଗଲା ମୋ ବୟସ ହୋଇଗଲି ବୁଢ଼ା।
ଗୋଳା ବାରୁଦର କାରଖାନା ଯହିଁ
ହୋଇଅଛି ଛିଡ଼ା ଗର୍ବେ ମୁଣ୍ଡ ଟେକି
ଗଲା ଭିଟାମାଟି ବୟସର ଶକ୍ତି
ମୋ ସପନ ସବୁ ଗଲାଣି ଉଜୁଡ଼ି।
ଆଇନ କାନୁନ ପାଶେ ହାତପାତି
ନ ଚିହ୍ନିଲେ କେହି ଗଲା ସବୁକିଛି
ପ୍ରୀତିମାଳତୀକୁ କଥା ଦେଇଥିଲି
ଗଢ଼ିବା ସଂସାର ଏସନକୁ ବୋଲି।
ହଜାଇଲି ପ୍ରୀତି ମୋର ଗତିବିଧି
ହଜିଲା ବିବେକ ମୋର ବୁଦ୍ଧିଶୁଦ୍ଧି
ମୋ ପେଟରେ ଭୋକ, ଭେକ ଖଣ୍ଡେନାହିଁ
ବୁଦ୍ଧିହୀନ ମୁହିଁ ଯାହା କରିବଇଁ।
ଆଇନକାନୁନ ଭୟ ମୋ ଗଲାଣି
ମୋ ଦେଶ ମୋ ମାଟି ସବୁ ଭୁଲିଲିଣି
ଦୋଷ ଧରିବନି ଯଦି କରେ କିଛି
ତୁମ କଥାରୁ ମୋ ମାୟା ତୁଟିଲାଣି।
ତୁମ ସ୍ୱାକ୍ଷରିତ କାଗଜକୁ ଧରି
ଏଦ୍ୱାର ସେ ଦ୍ୱାର ବୁଲେ ମୁଁ ଭିକାରୀ
ମାଗି ଖାଇବାକୁ ନଥିଲା ସପନ
ଲାଗି ଖାଇବାକୁ ଜନମ ମୋହରି।
ନାହିଁ ଜମିବାଡ଼ି ସବୁ ନେଲ କାଢ଼ି
ମୂଲ ଲାଗି ପେଟ ପୋଷିଛି ମୋହରି
ଗଢ଼ି କାରଖାନା ଯେତେ ଲାଭକ୍ଷତି
ବାଣ୍ଟିନେଇ ଗଲ ବସି ବନ୍ଧୁ ଜ୍ଞାତି।
ମୁଁ ଯେ ଛୋଟ ଜାତି ମୁରୁଖ ମଣିଷ
ତୁମ କୌଶଳର ନ ଜାଣେ ରହସ୍ୟ
ତୁମ ମୋ ସଂପର୍କ ଅର୍ଥ ଅବା କିସ
ତୁମେ କପଟିଆ ବିଦେଶୀର ଦାସ।
ମୋ ମାଟି ପବନ ମୋ ଦେଶ ମମତା
ତୁମେ କି ବୁଝିବ ତା’ର ମାଦକତା
ସୁନ୍ଦର ସପନ ସ୍ନେହ ଆତ୍ମୀୟତା
ଥାଉ ଦୁଃଖେ ସୁଖେ ନାହିଁ କପଟତା।
ବିକ୍ଷିପ୍ତ ସପନ ଆଉ କି ସାଉଁଟି
ପାରିବି ସାଆନ୍ତେ ମୋର ମୁଣ୍ଡ ଟେକି
ମଥା ପରେ ନାହିଁ ଚାଳ ଖଣ୍ଡେ ଏଠି
ଖୋଜୁଛି କି ରୂପା ସୁନା ଆଉ କିଛି ?
ମୋତେ ମୋ ପାଣି ପବନ ଲାଗୁଛି ସପନ
ମୋ ବଞ୍ଚିବା ପାପ ତୁମେ ସବୁ ମଣ
କୋଟିଏ ଆୟୁଷ ପାଇଁ ତୁମରି ସପନ
ଧର୍ମ ଅଧର୍ମକୁ ମଣିଛ ସମାନ
ପ୍ରଭୁ ଜଗନ୍ନାଥ କରିବେ ପୂରଣ।

Launching Ceremony of “AYUSHMAN BHARAT

Comments are closed.