ବିଜୁ ଏକ୍ସପ୍ରେସ୍ ୱେ ଦୁର୍ଘଟଣା : ୮ ଭୂଷଣ କର୍ମଚାରୀ ମୃତ,୨୦ ରୁ ଅଧିକ ଆହତ
ଝାରସୁଗୁଡା: ଶୁକ୍ରବାର ସନ୍ଧ୍ୟା ୭ ଟାରେ ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବାବେଳେ ୨୦ ଜଣ ଭୂଷଣ କର୍ମଚାରୀ ଆହତ ହୋଇଛନ୍ତି I ଗୁରୁତର ଆହତ ଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡିଭାଇଡର ଡେଇଁ ବସ୍କୁ ହାଇୱା ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁସIରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟ JSW ପ୍ଲାଣ୍ଟର ବସ କୁ ଏକ ଟ୍ରକ ଧକ୍କା ଦେଇଥିଲା । ଜେଏସ୍ଡବ୍ଲ୍ୟୁ ବିପିଏସ୍ଏଲ୍ କାରଖାନାର ଟ୍ୟୁବ୍ ମିଲ୍ରେ କାର୍ଯ୍ୟରତ ପ୍ରାୟ ୫୨ ରୁ ଅଧିକ କର୍ମଚାରୀ ଜେନେରାଲ୍ ସିଫ୍ଟ ଡ୍ୟୁଟି ସାରି କାରଖାନାର ବସ୍ (ଓଡି ୨୩ ଏମ୍ ୮୧୩୧)ରେ ଝାରସୁଗଡ଼ା ଅଭିମୁଖେ ବାହାରିଥିଲେ। ଏହି ସମୟରେ ସରବାହାଲ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ୨ ଗାଈଙ୍କୁ ଧକ୍କା ଦେଇ ଡିଭାଇଡର ଡେଇଁ ବସ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣକର୍ମଚାରୀ ଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ କର୍ମଚାରୀ ଆହତ ହୋଇଥିଲେ I ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେହିପରି ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ସମସ୍ତ ମୃତାହତ ସମ୍ବଲପୁର ଜିଲ୍ଲା ଠେଲ୍କୁଲିସ୍ଥିତ ଜେଏସ୍ଡବ୍ଲ୍ୟୁ ବିପିଏସ୍ଏଲ୍ (ଭୂଷଣ)ର କର୍ମଚାରୀ ଅଟନ୍ତି । ମୃତକମାନେ ହେଲେ ରାଜେନ୍ଦ୍ର ତିୱାରୀ, ଶେର୍ ବାହାଦୁର, ବ୍ରିକ୍ପାଲ ସିଂ, ପଙ୍କଜ ଝା, ଧନକୁମାର ରାୟ, ରାଜେଶ କୁମାର ସିଂ ଓ ସୂରଜ ଠାକୁର। ସେମାନେ ସମସ୍ତେ ରାଜ୍ୟ ବାହାରର ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡ଼ାରେ ଘରଭଡ଼ା ନେଇ ରହୁଥିଲେ ବୋଲି ଜଣାପଡ଼ିଛି।
ଜିଲ୍ଲାପାଳ ସରୋଜ ସାମଲ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି। ସେହିପରି ଜେଏସ୍ଡବ୍ଲ୍ୟୁ ବିପିଏସ୍ଏଲ୍ କାରଖାନର ଉପସଭାପତି(ପ୍ରଶାସନ) ଡି.କେ.ସିହ୍ନା, ଏଚ୍ଆର୍ ମୁଖ୍ୟ ଜେ.ପି.ସିଂହ, ସିକ୍ୟୁରିଟି ମୁଖ୍ୟ ମନୋଜ ସିଂ, ପିଆର୍ଓ ପ୍ରମୋଦ ପାତ୍ର ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ପହଂଚି ଆହତ କର୍ମଚାରୀଙ୍କ ଚିକିତ୍ସା ବ୍ୟବସ୍ଥା ବୁଝୁଥିବା ଜଣାପଡ଼ିଛି।
ଦୁର୍ଘଟଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି। ଏହାସହ ମୃତାହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ସାଂସଦ ସୁରେଶ ପୂଜାରୀ ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.