ଭୁବନେଶ୍ବର : ଅସିତ ତ୍ରିପାଠୀ ଦ୍ବିତୀୟ ଥର ପାଇଁ ଭୁବନେଶ୍ବର କ୍ଲବ୍ ସଭାପତି ପଦ ଅକ୍ତିଆର କରିଛନ୍ତି I ଗତକାଲି ହୋଇଥିବା କ୍ଲବ୍ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ୮୫୮ ଭୋଟ୍(୮୧.୫୫%) ପାଇଥିବା ବେଳେ ଶ୍ରୀ ନନ୍ଦ ୧୮୯ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ଉପସଭାପତି ଭାବେ ମହେନ୍ଦ୍ର ଗୁପ୍ତା ନିର୍ବାଚନ ଜିତିଥିବାବେଳେ ଦିଲ୍ଲୀପ ରାଉତରାୟ ସମ୍ପାଦକ ଓ ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।
ସୂଚନାନୁସାରେ ,ଭୁବନେଶ୍ୱର କ୍ଲବ୍ର ପରିଚାଳନା କମିଟି ଲାଗି ସେପ୍ଟେମ୍ବର ୨୪ରେ ଭୋଟିଂ ହୋଇଥିଲା ଓ ୨୫ରେ ଭୋଟ୍ ଗଣତି ହୋଇଥିଲା। କ୍ଲବ୍ର ବିଭିନ୍ନ ପଦବୀ ଲାଗି ଦିମୁଖୀ ଲଢ଼େଇ ହୋଇଥିଲା। କ୍ଳବ ର ସମ୍ପାଦକ ଭାବରେ ଦିଲୀପ ରାଉତରାୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ମାନସ ଦାସଙ୍କୁ ୩୯୯ ଭୋଟ୍ରେ ପରାସ୍ତ କରିଥିବା ବେଳେ ମହେନ୍ଦ୍ର କୁମାର ଗୁପ୍ତା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତପେଶ ରାୟଙ୍କୁ ୨୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜ୍ୟୋତିର୍ମୟ ମହାନ୍ତିଙ୍କୁ ୪୭୬ ଭୋଟ୍ ବ୍ୟବଧାନରେ ପରାସ୍ତ ଦ୍ବିତୀୟ ଥର ପାଇଁ ଏହି ପଦବିରେ ଅଧିଷ୍ଠିତ ହେବାର ଗୌରବ ଲାଭ କରିଛନ୍ତି।
ସେହିଭଳି କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବରେ ୬ ଜଣ ନିର୍ବାଚିତ ହୋଇଛନ୍ତି। ସେମାନେ ହେଉଛନ୍ତି, ଦେବବ୍ରତ ବିଶ୍ବାଳ, ପି.ଭି.ମୋହନ, ପାର୍ଥଜିତ ପଟ୍ଟନାୟକ, ପ୍ରଗତି କୁମାର ମହାନ୍ତି, ପ୍ରଶାନ୍ତ ନାଥ ଓ ଟୁଟୁଲ କିଶୋର ଦାସ। ଏମାନଙ୍କ ମଧ୍ୟରୁ ଶ୍ରୀ ଦାସ ସର୍ବାଧିକ ୮୧୦ ଖଣ୍ଡ ଭୋଟ୍ ପାଇଛନ୍ତି।
କ୍ଲବର ୧୦ ପଦ ପାଇଁ ଗତକାଲି ମତଦାନ ଅନୁଷ୍ଠିତ ହୋଇଥିଲା। ୧୯୩୬ ଭୋଟର୍ଙ୍କ ମଧ୍ୟରୁ ୧୦୫୨ ଜଣ ଭୋଟ୍ ଦେଇଥିଲେ। ସେଥିରୁ ୫୧ଟି ନାକଚ ହୋଇଥିଲା। ଆଜି ସକାଳ ୯ଟାରୁ କ୍ଲବ୍ ପରିସରରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇଥିଲା। ୬ ଜଣିଆ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପଦ ପାଇଁ ୧୧ ଜଣ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଅନ୍ୟ ସମସ୍ତ ପଦ ପାଇଁ ଦ୍ବିମୁଖୀ ଲଢ଼େଇ ହେଉଥିଲା।
ର୍ତ୍ତମାନ ଭୁବନେଶ୍ୱର କ୍ଲବ୍ରେ ୩ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୦୭ ଜଣ ଆଜୀବନ ସଦସ୍ୟ ହୋଇଥିବା ବେଳେ ୨ ହଜାର ୫୪୫ ଜଣ ସ୍ଥାୟୀ ସଦସ୍ୟ ଅଛନ୍ତି।

Comments are closed.