କଟକ: ମଇ ୨୫: ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସାରା ଦେଶରେ ଜାତିଭିତ୍ତିକ ଜନଗଣନା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଜାତିଭିତ୍ତିକ ଜନଗଣନା ନେଇ ଅନେକ ରାଜ୍ୟ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି । ଫଳରେ ବନ୍ଦ ଡାକରା ଦିଆଯାଇଛି । ଜାତିଭିତ୍ତିକ ଜନଗଣନା ଦାବି ବ୍ୟତୀତ ନିର୍ବାଚନରେ ଇଭିଏମ୍ ବ୍ୟବହାର ନକରିବା, ପ୍ରାଇଭେଟ୍ ସେକଫରରେ ସଂରକ୍ଷଣ ପ୍ରଦାନ, ଚାଷୀଙ୍କୁ ଋଣ ଗ୍ୟାରେଣ୍ଟି କାର୍ଯ୍ୟକାରୀ ନହେବା ଇତ୍ୟାଦି ଦାବି ମଧ୍ୟ ରହିଛି । ଏହି ଭାରତ ବନ୍ଦ ଡାକରାକୁ ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ ମୁକ୍ତି ମୋର୍ଚ୍ଚା ଓ ଅନ୍ୟ ସଂଘ ସମର୍ଥନ କରୁଛି । ଏହି ଭାରତ ବନ୍ଦ ଡାକରା ପ୍ରଭାବ ଏତେଟା ପଡ଼ି ନଥିବା ଦେଖିବାକୁ ମିଳିଛି । ତଥାପି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଛି । ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ନକଟିଗୁଡ଼ା ଛକରେ ରାସ୍ତା ଅବରୋଧ କରାଯାଇ ଆନ୍ଦୋଳନ କରାଯାଇଛି । ଫଳରେ ଭବାନୀପାଟଣାରୁ ନବରଙ୍ଗପୁର, ଜୟପୁର, ଧର୍ମଗଡ଼କୁ ଯାଉଥିବା ବସ୍ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।

Comments are closed.