ନୁ୍ୟୟର୍କ: ନୁ୍ୟୟର୍କର ଏକ କମ୍ପାନୀର ସିଇଓ ଗୋଟିଏ ଷ୍ଟ୍ରୋକରେ ୯୦୦ ଲୋକଙ୍କୁ ବରଖାସ୍ତ କରିଥିଲେ । ଏହା କରିବାକୁ ତାଙ୍କୁ ମାତ୍ର ତିନି ମିନିଟ୍ ସମୟ ଲାଗିଲା । କମ୍ପାନୀର ନାମ ହେଉଛି ବେଟର୍ ଡଟ୍ କମ୍ । ଏହାର ସିଇଓ ବିଶାଲ ଗର୍ଗ ନିକଟରେ କମ୍ପାନୀର କର୍ମଚାରୀଙ୍କ ଏକ ଜୁମ୍ ମିଟିଂ ଡାକିଥିଲେ । ଏହି ମିଟିଂ ସମୟରେ ହଠାତ୍ କର୍ମଚାରୀମାନଙ୍କୁ କାମକୁ ନ ଆସିବାକୁ କୁହାଯାଇଥିଲା । ଏହି ଘଟଣା ପରେ ଡିଜିଟାଲ ଫର୍ଷ୍ଟ ହୋମ୍ ଓନରସିପ୍ କମ୍ପାନୀ ବେଟର୍ ଡଟ୍ କମ୍ର ପ୍ରତିଷ୍ଠାତା ତଥା ସିଇଓ ଭାରତୀୟ ବଂଶୋଦ୍ଭବ ବିଶାଲ ଗର୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି । ତେବେ ବହିଷ୍କୃତ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ହେଉଛି ସମୁଦାୟ କର୍ମଚାରୀଙ୍କ ୧୫ ପ୍ରତିଶତ ।
ରିପୋର୍ଟ ଅନୁଯାୟୀ, ଆମେରିକା ସମେତ ଅନେକ ଦେଶରେ ହଲିଡେ ସିଜନ ଆରମ୍ଭ ହେବାକୁ ଯାଉଛି । ଏହାର ଠିକ୍ ପୂର୍ବରୁ କମ୍ପାନୀ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିଛି । ଆଶ୍ଚର୍ଯ୍ୟର କଥା, କମ୍ପାନୀ ଏହି ନିଷ୍ପତ୍ତି ବିଷୟରେ କୌଣସି ପୂର୍ବ ସୂଚନା କିମ୍ବା ଚେତାବନୀ ଦେଇ ନାହିଁ । ଏହି କମ୍ପାନୀ ଫାଇନାନ୍ସ ସେକଫରରେ କାମ କରେ ।
କମ୍ପାନୀର ଜଣେ କର୍ମଚାରୀ ସୋସିଆଲ ମିଡିଆରେ ଏକ ଛୋଟ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ ତାଙ୍କୁ ମାତ୍ର ତିନି ମିନିଟରେ ପିଙ୍କ୍ ସ୍ଲିପ୍ ଦିଆଯାଇଥିଲା ଅର୍ଥାତ୍ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା । ସେୟାର ଭିଡିଓ ଅନୁଯାୟୀ, ମାଲିକ ବିଶାଲ କର୍ମଚାରୀମାନଙ୍କୁ କହିଥିଲେ ଯେ ସେମାନେ ଏକ ଭାଗ୍ୟହୀନ ଗୋଷ୍ଠୀର ଅଂଶ । ଯଦି ଆପଣ ଏହି କଲ୍ରେ ଅଛନ୍ତି, ତେବେ ଆପଣ ବରଖାସ୍ତ ହେବାକୁ ଯାଉଛନ୍ତି । ଏହାସହ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ବିଶାଲ କର୍ମଚାରୀଙ୍କୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବଜାର ବଦଳିଛି ବୋଲି ଆପଣ ସମସ୍ତେ ଜାଣିଛନ୍ତି । ତେଣୁ ବଞ୍ଚିବା ପାଇଁ ଏହା ସହିତ ଚାଲିବାକୁ ପଡିବ ।
ସେପଟେ ଆଉ ଏକ ରିପୋର୍ଟ ଅନୁଯାୟୀ, ଗର୍ଗର କମ୍ପାନୀ ଗତ ସପ୍ତାହରେ ୭୫ କୋଟି ଡଲାରର ନଗଦ ଟଙ୍କା ପାଇଥିଲା । ଏହାର ମୂଲ୍ୟ ବର୍ତ୍ତମାନ ୭ ବିଲିୟନ ଡଲାର ରହିଛି । ଗର୍ଗ କହିଛନ୍ତି ଯେ ତାଙ୍କ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଫୋର୍ବସର ଏକ ରିପୋର୍ଟରେ କୁହାଯାଇଥିଲା ଯେ ୨୦୨୦ରେ ଗର୍ଗ ତାଙ୍କ କର୍ମଚାରୀମାନଙ୍କୁ ଅଳସୁଆ ବୋଲି ଅଭିଯୋଗ କରିଥିଲେ ।
ସେହିପରି ଆଉ ଏକ ତଥ୍ୟ ଅନୁଯାୟୀ ଏହି ସିଇଓ ଥରେ ତାଙ୍କ ସାଥୀଙ୍କୁ ଜୀବନ୍ତ ଜାଳିଦେବାକୁ ଧମକ ଦେଇଥିଲେ । ବିଶାଲ ଗର୍ଗ ନୁ୍ୟୟର୍କର ସବୁଠୁ ମହଙ୍ଗା ଅଞ୍ଚଳ ଟ୍ରେବେକାରେ ନିଜ ସ୍ତ୍ରୀ ଏବଂ ତିନି ପିଲାଙ୍କ ସହ ରହୁଛନ୍ତି । ସେ ଅକ୍ସଫୋର୍ଟ ବିଶ୍ୱବିଦ୍ୟାଳୟରୁ ଏମବିଏର ଡିଗ୍ରୀ ହାସଲ କରିଛନ୍ତି । ତେବେ ଚଳିତ ବର୍ଷ ଆରମ୍ଭରେ ମଧ୍ୟ ବିଶାଲ ଗର୍ଗ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ସେ କରୋନା ମହାମାରୀ ସମୟରେ ନୁ୍ୟୟର୍କ ସହରର ପବ୍ଲିକ ସ୍କୁଲର ଛାତ୍ରଙ୍କୁ ଅନଲାଇନ ଶିକ୍ଷାଦାନକୁ ଆହୁରି ଅଧିକ ସୁବିଧା କରିବା ପାଇଁ ୧୫ କୋଟି ଦାନ କରିଥିଲେ । ଏହି ଅର୍ଥ ରାଶିରେ ଗରିବ ପିଲାଙ୍କୁ ଆଇପ୍ୟାଡ୍, ଇଣ୍ଟରନେଟ୍, ପୁସ୍ତକ, ଡ୍ରେସ ପ୍ରଦାନ କରାଯାଇଥିଲା ।
Comments are closed.